
ଦେବଗଡ଼:ପୌରାଚଂଳର ପ୍ରଧାନପାଟ ରୋଡସ୍ଥିତ କ୍ରିଷ୍ଟାଲ ପ୍ୟାଲେସରେ ଆଜି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିଅନର ସଭାପତି ଇଂ ସୁଜିତ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସରକାରୀ ନିର୍ମାଣ କାର୍ଯ୍ୟର ସୁପରିଚାଳନା ଏବଂ ଠିକାଦାରମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ବରିଷ୍ଠ ଠିକାଦାର ପ୍ରସନ୍ନ ବେହେରା,ଚିତ୍ତରଞ୍ଜନ ପ୍ରଧାନ, ହରିହର ପାଣି, ନନ୍ଦ କିଶୋର ମହାପାତ୍ର,ଇଂ କୁମାର ସ୍ୱସ୍ତିକ ମହାପାତ୍ର, ଇଂ ନିହାର ରଞ୍ଜନ ପଟେଲ, ଇଂ ତପନ ସାହୁ,ଇଂ ମୁକେଶ ମହାପାତ୍ର, ଇଂ ଶିବାନନ୍ଦ ଗଡ଼ନାୟକ, ନିତ୍ୟରଞ୍ଜନ ସାହୁ, ଅମନ ସାହୁ, ଅବିନାଶ ମହାପାତ୍ରଙ୍କ ସମେତ ବହୁ ଠିକାଦାର ଉପସ୍ଥିତ ଥିଲେ। ଟେଣ୍ଡର ପ୍ରକ୍ରିୟାରେ ଅତ୍ୟଧିକ କମ୍ ମୂଲ୍ୟରେ କାମ ନେବାର କୁପରିଣାମ ଏବଂ ଏହା ଦ୍ୱାରା ନିର୍ମାଣ କାର୍ଯ୍ୟରେ ହେଉଥିବା ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଚାଲୁଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସର୍ବୋତ୍ତମ ଗୁଣବତ୍ତା ବଜାୟ ରଖିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମସ୍ତ ଟେଣ୍ଡର ସରକାରୀ ‘ସେଡ୍ୟୁଲ୍ ଅଫ୍ ରେଟ୍’ ଅନୁଯାୟୀ ସମାନ ମୂଲ୍ୟ ବା ‘ଏଟ୍ ପାର୍’ ରେ ହିଁ କୋଟ୍ କରାଯିବ।ଏହାସହିତ ଅତି କମ୍ ଦରରେ କାମ କରିବା ଦ୍ୱାରା କାର୍ଯ୍ୟର ମାନ ଖରାପ ହୋଇଥାଏ ଏବଂ ପ୍ରକଳ୍ପ ସମାପ୍ତ ହେବାରେ ଅହେତୁକ ବିଳମ୍ବ ଘଟିଥାଏ, ଯାହା ସର୍ବସାଧାରଣଙ୍କ ସମ୍ପତ୍ତିର କ୍ଷତି କରିଥାଏ। ଏଣୁ ସମସ୍ତ ସଦସ୍ୟ ଏହି ନିୟମକୁ କଠୋର ଭାବେ ପାଳନ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି।ଏହି ପଦକ୍ଷେପ ଦେବଗଡ଼ ଜିଲ୍ଲାର ଭିତ୍ତିଭୂମି ବିକାଶକୁ ଏକ ନୂତନ ଏବଂ ସ୍ୱଚ୍ଛ ଦିଗ ଦେବ ବୋଲି ୟୁନିଅନ ଆଶା ପ୍ରକଟ କରିଛି।


