
ଭୁବନେଶ୍ୱର: ନିଟ୍ ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ନିର୍ଦ୍ଦେଶରେ ଧର୍ମେନ୍ଦ୍ରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ବିଜେଡି । ଏମିତିକି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଧ୍ୟ ବିଜେଡିର ଛାମୁଆ ସଂଗଠନ ପକ୍ଷରୁ ବିରୋଧର ସମ୍ମୁଖୀନ ହେଉଛନ୍ତି ଏହି ବିଜେପି ନେତା । କିନ୍ତୁ ଆଜି ଧର୍ମେନ୍ଦ୍ର ସୁଯୋଗ ଦେଖି ନବୀନଙ୍କୁ ଟାର୍ଗେଟ କରିଛନ୍ତି । ଏପଟେ ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ରଖିଛି ବିଜେଡି ।
ଜବାବରେ ବିଜେଡି ନେତା ରୋହିତ ପୁଜାରୀ କହିଛନ୍ତି, “ମୋ ରାଜନୈତିକ ଜୀବନର ପ୍ରଥମ ଥର ଦେଖୁଛି, ଜଣେ ସାଂସଦ ନିଜ ନିର୍ବାଚନ ମଣ୍ଡଳୀକୁ ଯିବାକୁ ଡରୁଛନ୍ତି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ପୂର୍ବରୁ ସମ୍ବଲପୁର ଜିଲ୍ଲାର ବହୁ ବିଜେଡି ନେତାଙ୍କୁ ପୋଲିସ ଉଠାଇ ନେଇଛନ୍ତି । ଦୁଇ ଦିନ ତଳେ ଧର୍ମେନ୍ଦ୍ରଙ୍କୁ ଭୁବନେଶ୍ୱରରେ ବିରୋଧ କରାଯାଇଥିଲା । ଅନୁଗୁଳରେ ବିରୋଧ ହୋଇଥିଲା । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉ କେହି ବଦନାମ କରିନାହାନ୍ତି । ଧର୍ମେନ୍ଦ୍ର ନିଜକୁ ନିଜେ ବଦନାମ କରିଛନ୍ତି । ଦିଲ୍ଲୀ ଯନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କୁ ପୋଲିସ ଆକ୍ରମଣ କଲା । ଏଥିପାଇଁ ସେ ନିଜେ ବଦନାମ ହେଉଛନ୍ତି । ଶେଷରେ ସେ ଇସ୍ତଫା ଦେଇଛନ୍ତି । ନୂଆଦିଲ୍ଲୀ ଘଟଣା ସେ ସମ୍ବଲପୁରରେ ଦୋହରାଇଛନ୍ତି ।”
ରୋହିତ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ବେଳେ ସମ୍ବଲପୁରରେ ଧର୍ମେନ୍ଦ୍ର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିନାହାନ୍ତି । 300 ୟୁନିଟ ବିଜୁଳି, ହାଇକୋର୍ଟ ବେଞ୍ଚ ମିଳିଲା ନାହିଁ । ମହାନଦୀ ବିବାଦ ସମାଧାନ ହୋଇନାହିଁ । ତେଣୁ ସମ୍ବଲପୁରରେ ବୁଲିବା ପାଇଁ ଧର୍ମେନ୍ଦ୍ରଙ୍କର ଆଉ ସାହସ ନାହିଁ । ଯଦି ଏତେ ଡର ସେ ଇସ୍ତଫା ଦେଇ ଦିଅନ୍ତୁ । ସମ୍ବଲପୁର ନଆସି ନୂଆଦିଲ୍ଲୀରେ ରୁହନ୍ତୁ । ଧର୍ମେନ୍ଦ୍ରଙ୍କୁ ନବୀନ କାହିଁକି ବଦନାମ କରିବେ ବୋଲି ରୋହିତ ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ରଙ୍କ ପାଇଁ 20ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି । ଧର୍ମେନ୍ଦ୍ରଙ୍କୁ କେହି ବଦନାମ କରିନାହାନ୍ତି, ସେ ନିଜେ ନିଜକୁ ବଦନାମ କରିଛନ୍ତି ।




