
ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ(ଓଏମ୍ସି)ର ଉଚ୍ଚ ପଦବୀରେ ନିଯୁକ୍ତି ଦେବାକୁ କହି ୨୦ ଲକ୍ଷ ଠକେଇ କରିଥିବା ଅଭିଯୋଗରେ ନକଲି ଆଇଏଏସ୍ ଅଧିକାରୀଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ କଲକାତାର ହୁଗୁଳି ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ାର ରବିନାରାୟଣ ଦାସ।
ପୁଲିସ ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପଦୋନ୍ନତି ପ୍ରାପ୍ତ ଆଇଏଏସ୍ ଅଧିକାରୀ ବୋଲି ରବିନାରାୟଣ ପରିଚୟ ଦେଇଥିଲା। ମଧ୍ୟସ୍ଥି ସାଜିଥିବା ମନୋଜ କୁମାର ଲେଙ୍କା ନିଜକୁ ଓଏମ୍ସିର ଜେନେରାଲ ମ୍ୟାନେଜର ପରିଚୟ ଦେଉଥିଲା। ଘଟଣାକ୍ରମରେ ଅଭିଯୋଗକାରୀ ମନୋରଞ୍ଜନ ପ୍ରଧାନଙ୍କ ସହ ଉଭୟଙ୍କ ଚିହ୍ନା ପରିଚୟ ହୋଇଥିଲା। ମନୋରଞ୍ଜନଙ୍କୁ ଓଏମ୍ସିରେ ଡେପୁଟି ଜେନେରାଲ ମ୍ୟାନେଜର ପଦବୀରେ ଚାକିରି ଦେବାକୁ ରବିନାରାୟଣ କହିଥିଲା। ତାଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ରାଜ୍ୟ ବାହାରକୁ ନେଇ ସାକ୍ଷାତକାର କରାଇଥିଲେ। ମନୋରଞ୍ଜନଙ୍କୁ ମିଛ ନିଯୁକ୍ତିପତ୍ର ପ୍ରଦାନ କରି ୨୦ ଲକ୍ଷ ଟଙ୍କା ନେଇ ଯାଇଥିଲେ। ନିଯୁକ୍ତିପତ୍ର ଯାଞ୍ଚ କରିବା ପରେ ନକଲି ବୋଲି ଜଣାପଡ଼ିଥିଲା। ଗତ ଏପ୍ରିଲରେ ଠକେଇର ଶିକାର ମନୋରଞ୍ଜନ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। କଲକାତାର ହୁଗୁଳିରୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଚଢ଼ଉ କରି ରବିନାରାୟଣକୁ ଗିରଫ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ମନୋଜ ଫେରାର ରହିଛି। ଅନୁରୂପ ଭାବେ ରବିନାରାୟଣ ସରକାରୀ ନିଯୁକ୍ତି ଦେବାକୁ କହି ଭୁବନେଶ୍ବର ଓ ଯାଜପୁରର ୩ଜଣଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକେଇ କରିଛି। ଯାଜପୁରର ଜଣେ ଯୁବକଙ୍କୁ ସରକାରୀ ଚାକିରି ଦେବାକୁ କହି ୮୮ ଲକ୍ଷ ଟଙ୍କା ଠକେଇ କରିଛି। ଉକ୍ତ ଠକେଇ ମାମଲା ଯାଜପୁର ସାଇବର ଥାନା ପୁଲିସ ତଦନ୍ତ କରୁଛି। ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସରକାରୀ ନିଯୁକ୍ତି ଦେବାକୁ କହି ୧୦ ଲକ୍ଷ ଟଙ୍କା ଠକେଇ କରିଛି। ରବିନାରାୟଣକୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ପୁଲିସ କହିଛି।




