
ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ପବିତ୍ର ନେତ୍ରୋତ୍ସବ ନୀତି ଶ୍ରଦ୍ଧା ଓ ଭକ୍ତିଭାବର ସହ ପାଳିତ ହୋଇଛି। ଅଣସର ପର୍ବ ଶେଷ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଭୋର ସକାଳରୁ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାବିଗ୍ରହଙ୍କ ନବଯୌବନ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା।ନେତ୍ରୋତ୍ସବ ଅବସରରେ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରୀଜଗନ୍ନାଥ ପୂଜା କମିଟି ପକ୍ଷରୁ ଦର୍ଶନାର୍ଥୀଙ୍କ ସୁବିଧା ଏବଂ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।ଆସନ୍ତା ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପହଣ୍ଡି ବିଜେ, ରଥଟଣା ଏବଂ ମାଉସୀମା’ ମନ୍ଦିରରେ ନୀତିକାନ୍ତି ସୁଚାରୁରୂପେ ସମ୍ପାଦନ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି।ଚଳିତ ବର୍ଷ ରଥଯାତ୍ରା ଅବସରରେ କନ୍ଧମାଳ ଲୋକସଭା ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ପାରମ୍ପରିକ ‘ଛେରା ପହଁରା’ ନୀତି ସମ୍ପାଦନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ରାଇକିଆ ଅଞ୍ଚଳର ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




