
ଭୁବନେଶ୍ୱର: ବଦଳୁଛି ବାତ୍ୟା ଗତିପଥ । ଓଡ଼ିଶା ଦେଇ ସ୍ଥଳଭାଗ ଛୁଇଁବ ବାତ୍ୟା । ବଢିଲା ଭୟ । ନୂଆ ଟ୍ରାକ ଅନୁସାରେ ଓଡ଼ିଶା ଦେଇ ଯିବ ବାତ୍ୟା ଅକଭାନ । ପ୍ରଥମେ କୁହାଯାଉଥିଲା ଆନ୍ଧ୍ରପ୍ରଦେଶର ନେଲୋର-ଟୁନି ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ । ପରେ ଗତକାଲି ସମ୍ଭାବ୍ୟ ଗତିପଥରେ ପରିବର୍ତ୍ତନ ଆସିଥିଲା । ତାହା ହେଲା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନେଲୋର-ବିଶାଖାପାଟଣା ମଧ୍ୟରେ ଅକଭାନ ସ୍ଥଳଭାଗ ଅତି୍ରକମ କରିବ । ଏହା ଗତକାଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଥିଲା । ତେବେ ଏବେ ପୁଣି ବାତ୍ୟା ତାର ଗତିପଥ ବଦଳାଇବାକୁ ଯାଉଛି । ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ଅକଭାବ ନରାସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଉତ୍ତର ଆନ୍ଧ୍ର ଓ ୟେନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳକୁ ଆସିବ । ବର୍ତ୍ତମାନ ବାତ୍ୟା ଅକଭାନ ଘଣ୍ଟା ପ୍ରତି ୭କିମି ବେଗରେ ଆଗକୁ ବଢୁଛି । ଏବେ ଗୋପାଳପୁର ଠାରୁ ୭୧୦ କିମି ଓ ପୁରୀ ଠାରୁ ୭୭୦ କିମି ଦୂରରେ ରହିଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ ନେଇ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ । ୧୯ ଓ ୨୦ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦ ପର୍ଯ୍ୟନ୍ତ ବେଳାଭୂମି ପର୍ଯ୍ୟଟନ ବନ୍ଦ ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ଦୃଷ୍ଟିରେ ରଖି SRCଙ୍କ ପକ୍ଷରୁ ପର୍ଯ୍ୟଟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ପ୍ରବଳ ପବନ, ଭାରୀ ବର୍ଷା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ ହେବାର ଆଶଙ୍କା ରହିଛି । ତେଣୁ ପର୍ଯ୍ୟଟକ, ପରିଦର୍ଶକ, ପର୍ଯ୍ୟଟନ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳ, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ପର୍ଯ୍ୟଟନ କର୍ତ୍ତୃପକ୍ଷ, ଟୁର ଅପରେଟର, ହୋଟେଲ ଓ ରିସର୍ଟଗୁଡ଼ିକୁ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ସମ୍ବେଦନଶୀଳ ବେଳାଭୂମିରେ ପର୍ଯ୍ୟଟନ ସମେତ ସମୁଦ୍ର ସ୍ନାନ, ବୋଟିଂ, ୱାଟର ସ୍ପୋର୍ଟସ୍, ପ୍ଲେଜର କ୍ରୁଜ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ପର୍ଯ୍ୟଟନ କାର୍ଯ୍ୟକଳାପକୁ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ।ଅସୁରକ୍ଷିତ ବେଳାଭୂମି, ଜେଟି, ଉପକୂଳବର୍ତ୍ତୀ ଭ୍ୟୁଇଂ ପଏଣ୍ଟ ଏବଂ ଅନ୍ୟାନ୍ୟ ବିପଦସଙ୍କୁଳ ପର୍ଯ୍ୟଟନ ସ୍ଥଳୀକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ସହାୟତାରେ ବ୍ୟାରିକେଡ୍ ଓ ସତର୍କତା ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରାଯିବ ।






