
ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆସିଛି ଅତିରିକ୍ତ ବଜେଟ୍। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଅତିରିକ୍ତ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ ସହ ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦେଇ ଅଧିକ ପାଣ୍ଠି ବରାଦ କରାଯାଇଛି। ଗତ ଫେବ୍ରୁଆରୀ ମାସରେ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର କୋଟିର ସାଧାରଣ ବଜେଟ ଆଣିଥିଲା ବେଳେ ବିଭିନ୍ନ ଯୋଜନା ପାଇଁ ଅଧିକ ପାଣ୍ଠି ଆବଶ୍ୟକ ହେବାରୁ ସରକାର ଗୃହରେ ଅତିରିକ୍ତ ବଜେଟ୍ ଆଣିଛନ୍ତି।
ଅତିରିକ୍ତ ବଜେଟରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧୦୬୦ କୋଟି, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭,୯୯୦ କୋଟି ବରାଦ ହୋଇଛି। ବିପର୍ଯ୍ୟୟ ପ୍ରଶମନରେ ରିଲିଫ ଓ ଥଇଥାନ ପାଇଁ ୫୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ ସର୍ବାଧିକ ୮୩୧୨ କୋଟି ଟଙ୍କା ବରାଦ କରାଯାଇଛି । ସ୍ନାତକୋତ୍ତର କେଜି ଠାରୁ ପିଜି ମାଗଣା ଶିକ୍ଷା ପାଇଁ ୪୮୫ କୋଟି , ସ୍ୱାସ୍ଥ୍ୟସେବା ପାଇଁ ୧୨୪୬, ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୫୦୦, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ପାଇଁ ୯୦ କୋଟି ଟଙ୍କା ବରାଦ ହୋଇଛି।
ଭିତ୍ତିଭୂମି ବିକାଶକୁ ଫୋକସ୍ କରି ୨୩୫୯ କୋଟି ଟଙ୍କା ବରାଦ ହୋଇଥିଲା ବେଳେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନାକୁ ୬୪୨ କୋଟି, ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ୫୦୦, ସେତୁବନ୍ଧନ ଯୋଜନା ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସହରାଞ୍ଚଳ ବିକାଶକୁ ୩୭୨କୋଟି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ୧୦୦ , ସମଗ୍ର ଶିକ୍ଷା ଯୋଜନା ପାଇଁ ରାଜ୍ୟ ସହାୟତା ବାବଦକୁ ୨୭୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ମହିଳା ସଶକ୍ତୀକରଣ ପାଇଁ ଅତିରିକ୍ତ ବଜେଟରେ ୧୨୪୭ କୋଟି ଟଙ୍କା ବରାଦ ହୋଇଛି। ସୁଭଦ୍ରା ଯୋଜନା ଅଧୀନରେ ୫୫୦ କୋଟି , ଜାତୀୟ ଗ୍ରାମୀଣ ଜୀବିକା ମିଶନକୁ ୬୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି। କୃଷକ କଲ୍ୟାଣ ପାଇଁ ୧୬୦୬ କୋଟି ଟଙ୍କା ବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ସାମାଜିକ ସୁରକ୍ଷା ବାବଦକୁ ୭୩୩ କୋଟି ଟଙ୍କା ବରାଦ ହୋଇଥିଲା ବେଳେ ଖାଦ୍ୟ ସୁରକ୍ଷା ଏବଂ ଯୋଗାଣ ପାଇଁ୮୩୯୦ କୋଟି ଟଙ୍କା ବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ଖାଦ୍ୟ ସବସିଡି ପାଇଁ ୮୩୧୨ କୋଟି ଟଙ୍କା ପାଣ୍ଠି ବରାଦ ହୋଇଛି।






