
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ବିତ୍ପାତରେ ୭ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ନିଖୋଜ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୫ ଜଣ ମୃତ ଓ ୨ଜଣ ନିଖୋଜ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ହରିଚନ୍ଦନପୁର ବ୍ଲକ ସିଂହିବିଲ୍ଲା ଗ୍ରାମର ଉର୍ମିଳା ବିଶ୍ୱାଳ ଶୋଇଥିବା ବେଳେ କାନ୍ଥପଡି ପ୍ରାଣ ହରାଇଛନ୍ତି । ଜଳବନ୍ଦୀ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ଯାଇଥିବା ୨୬ ବର୍ଷୀୟ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି । ତେଲକୋଇ ବ୍ଲକ୍ର ଜଣେ ମହିଳା ଓ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ବାଂଶପାଳ ବ୍ଲକ୍ରେ ମଙ୍ଗଳବାର ଭାସି ଯାଇ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଘସିପୁରା ବ୍ଲକ୍ କେଶଦୁରାପାଳ ଗାଁର ଉର୍ମିଳା ପାତ୍ର (୨୩) ରେମାଳ ନଦୀରେ ବୁଡ଼ି ନିଖୋଜ ହୋଇଛନ୍ତି । ଆନନ୍ଦପୁର ରିଂରୋଡ୍ ଘାଇରେ ପଡ଼ି ଫକୀରପୁରର ସଦାଶିବ ମହାନ୍ତି ନିଖୋଜ ହୋଛନ୍ତି । ଆନନ୍ଦପୁର ରିଂ ରୋଡ୍ରେ ୭୦ ଫୁଟ୍ ଘାଇ ସୃଷ୍ଟି ହୋଇଛି । କେନ୍ଦୁଝର ଜିଲ୍ଲା ୧୩ଟି ବ୍ଲକ୍ର ୭୩ଟି ଗାଁ ଓ ୫ ସହରର ୧୧ଟି ୱାର୍ଡ ଜଳମଗ୍ନ ହୋଇ ବ୍ୟାପକ କ୍ଷତି ଘଟିଛି ।
ବୈତରଣୀରେ ପ୍ରବଳ ବନ୍ୟାଜଳ ଆସିବାରୁ ଚମ୍ପୁଆ ଓ ଆନନ୍ଦପୁରରେ ବନ୍ୟାପାଣି ବିପଦ ସଙ୍କେତ ଉପରେ ଚାଲିଥିଲା । ପ୍ରଥମଥର କାନପୁର ବୃହତ ଜଳଭଣ୍ଡାରରୁ ଜଳ ଛଡ଼ାଯିବାରୁ ତଳିଆ ଅଞ୍ଚଳ ଗାଁରେ ପାଣି ପଶିଛି । ଘର ଭୁଶୁଡ଼ି ପଡ଼ିବାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଜଣେ ବୃଦ୍ଧା ବୁଦୁନି ମୁଣ୍ଡାଙ୍କ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଶିମିଳିଆ ଗାଁରେ ଜଣେ ବନ୍ୟା ପାଣିରେ ଭାସି ନିଖୋଜ ହୋଇଛନ୍ତି । ସେହିପରି ଯାଜପୁର ବ୍ଲକ୍ ଜାଫରପୁରର ଅଜୟ ସାହୁ ବନ୍ୟା ଜଳରେ ଭାସି ନିଖୋଜ ଅଛନ୍ତି । ବନ୍ୟାରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ବଇଁଚା ପଞ୍ଚାୟତର ଜଣେ ଯୁବକ ଭାସି ଯାଇଛନ୍ତି । ୯ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଷୋଳମପୁର ଗାଁରେ ବନ୍ୟା ପାଣିରେ ଭାସି ଜଣଙ୍କ ମୃତ୍ୟୁ ହୋଇଛି । ତିହିଡ଼ି, ବାସୁଦେବପୁର, ଧାମନଗର, ଭଦ୍ରକ ଓ ଭଣ୍ଡାରିପୋଖରୀ ବ୍ଲକର ୭୨ଟି ପଞ୍ଚାୟତର ୩୨୨ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଧାମନଗର ଏନଏସି, ଭଦ୍ରକ ପୌରପାଳିକା ଓ ଧୁଷୁରୀ ଏନଏସିର ୧୩ଟି ୱାର୍ଡ ପ୍ରଭାବିତ ହୋଇଛି । ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ବନ୍ୟା ଯୋଗୁ ଯାଜପୁରର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।




