
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ସଙ୍କଟଜନକ ରୂପ ନେଇଛି। ବିଶେଷ କରି ମାଲକାନଗିରି ତୁଳନାରେ ଏଥର ଗଞ୍ଜାମ ଓ ଗଜପତି ଜିଲା ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ ଜିଲାରେ ୪୩ ହଜାରରୁ ଅଧିକ ଲୋକ ବନ୍ୟାଜଳ ଘେରରେ ଫସି ରହିଥିବା ବେଳେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି।ଏହି ଆପାତକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏସଆରସି କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟାଞ୍ଚଳ ପରିଦର୍ଶନରେ ଯିବା ପୂର୍ବରୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ୟା ପରିସ୍ଥିତି ଓ ସରକାରଙ୍କ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି ଯେ, ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ତୁରନ୍ତ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।ଜଳବନ୍ଦୀ ହୋଇ ରହିଥିବା ଦୁର୍ଗମ ଅଞ୍ଚଳଗୁଡ଼ିକରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ହେଲିକପ୍ଟର ମାଧ୍ୟମରେ ଆକାଶ ମାର୍ଗରୁ ଶୁଖିଲା ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯିବ।ଯେଉଁ ଅଞ୍ଚଳରେ ଡଙ୍ଗା ଚଳାଚଳ ସମ୍ଭବ, ସେଠାରେ ବୋଟ୍ ମାଧ୍ୟମରେ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଶୀଘ୍ର ସ୍ୱାଭାବିକ ହୋଇପାରିବ। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ସହ ସେମାନଙ୍କୁ ଆବଶ୍ୟକୀୟ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବା ପ୍ରଶାସନର ପ୍ରାଥମିକତା ରହିଛି ବୋଲି ରାଜସ୍ୱ ମନ୍ତ୍ରୀ ପ୍ରକାଶ କରିଛନ୍ତି।





