
ଭୁବନେଶ୍ୱର:ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି । ଉଦ୍ଧାର କାର୍ୟ୍ୟକୁ ଅଧିକ ଗୁରୁତ୍ୱ ଦେଇ ପ୍ରସ୍ତୁତ ରହିଛନ୍ତି ଅଗ୍ନିଶମ ବାହିନୀ । ବର୍ଷା ଲାଗି ରହିଥିବାରୁ ସବୁ ଅଞ୍ଚଳରେ ଟିମ୍ଗୁଡ଼ିକୁ ସଜାଗ ରଖାଯାଇଛି । ଜୀବନ ବଞ୍ଚାଇବାକୁ ହେଲେ ବିପଦ ସମୟର ପ୍ରଥମ ୩୦ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ସହାୟତା ଯୋଗାଇବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।ସେ କହିଛନ୍ତି, ବ୍ଲକ୍ ସ୍ତରରେ ଥିବା ଅଗ୍ନିଶମ ଟିମ୍ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। କମାଣ୍ଡ ସେଣ୍ଟରରୁ ସବୁ ଟିମ୍ ସହ ଲଗାତାର ଯୋଗାଯୋଗ ରଖାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୩୮୮ଟି ଟିମ୍ ପ୍ରସ୍ତୁତ ଥିବାବେଳେ ସେଥିରୁ ୨୧୬ଟି ଟିମ୍କୁ ସକ୍ରିୟ ରଖାଯାଇଛି। ଉଦ୍ଧାର କାର୍ୟ୍ୟ ପାଇଁ ଡଙ୍ଗା ମଧ୍ୟ ମହଜୁଦ ରହିଛି ।
ବାତ୍ୟା ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ହେଲେ ଆଲୋକ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଅନ୍ୟପଟେ ପୁରୀ, ଭୁବନେଶ୍ୱର ଓ କଟକର କିଛି ଅଞ୍ଚଳରେ ପାଣି ଜମିବା ଆରମ୍ଭ ହୋଇଛି। ଏହି ସ୍ଥାନଗୁଡ଼ିକରୁ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରାଯାଉଛି। ଅଗ୍ନିଶମ ବିଭାଗର ପମ୍ପ ଗୋଟିଏ ମିନିଟ୍ରେ ୪,୨୦୦ ଲିଟର ପାଣି ନିଷ୍କାସନ କରିବାର କ୍ଷମତା ରଖିଛି ବୋଲି ଡିଜି କହିଛନ୍ତି ।
କେବଳ ଉଦ୍ଧାର କାର୍ୟ୍ୟ ନୁହେଁ, ବାତ୍ୟା ପରେ ରାସ୍ତାରେ ପଡ଼ିଥିବା ଗଛ ଓ ଅନ୍ୟ ବାଧା ହଟାଇବା ପାଇଁ ମଧ୍ୟ ଅଗ୍ନିଶମ ଯୋଦ୍ଧାମାନେ ପ୍ରସ୍ତୁତ ଅଛନ୍ତି । କେଉଁଠି ଘର ଭିତରକୁ ପାଣି ପଶିଲେ ପମ୍ପ ଲଗାଇ ତୁରନ୍ତ ପାଣି ବାହାର କରାଯିବ। ରାତିସାରା ପରିସ୍ଥିତି ଉପରେ ନଜର ରଖାଯିବ ବୋଲି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।
ସେହିପରି ପୁରୀକୁ ଅଧିକ ଅଗ୍ନିଶମ ଟିମ୍ ପଠାଯାଇଛି। ଭୁବନେଶ୍ୱରରେ ୧୫ଟି ଟିମ୍ ବ୍ୟାକଅପ୍ ଭାବେ ରଖାଯାଇଛି । ବାତ୍ୟାର ପ୍ରଭାବ ଦେଖି ଆସନ୍ତାକାଲି ସକାଳେ ଏହି ଟିମ୍ଗୁଡ଼ିକୁ ଆବଶ୍ୟକ ସ୍ଥାନକୁ ପଠାଯିବ ।
ଏହି ଅବସରରେ ଅଗ୍ନିଶମ ଡିଜି ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ଅପିଲ୍ କରିଛନ୍ତି । କେହି ବି ବିପଦପୂର୍ଣ୍ଣ ସ୍ଥାନରେ ରହନ୍ତୁ ନାହିଁ। ଯଦି କେହି ଅସୁବିଧାରେ ପଡ଼ନ୍ତି, ତେବେ ଟୋଲ୍ ଫ୍ରି ଜରୁରୀକାଳୀନ ନମ୍ବର ୧୧୨କୁ କଲ୍ କରିବାକୁ ସେ ଅନୁରୋଧ କରିଛନ୍ତି। ସରକାରଙ୍କ ଜିରୋ କାଜୁଆଲଟି ଲକ୍ଷ୍ୟକୁ ନେଇ ଅଗ୍ନିଶମ ବିଭାଗ ନିଜ ଦାୟିତ୍ୱ ତୁଲାଉଛି । ଓଡ଼ିଶାବାସୀ ମିଳିତ ଭାବେ ବାତ୍ୟାର ସଫଳ ମୁକାବିଲା କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।






