ମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶା ସହ ଆନ୍ଧ୍ର, ପୁଡୁଚେରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବି କଥା ହୋଇଛନ୍ତି । ବାତ୍ୟା ମୁକାବିଲା ପାଇଁ NDRF ଓ SDRF ଟିମ୍ ଗୁଡ଼ିକ ସକ୍ରିୟ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଯିବ ବୋଲି ଶାହ କହିଛନ୍ତି ।

ସୂଚନା ଥାଉକି, ଆନ୍ଧ୍ରରେ ବତ୍ୟା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ବିଳମ୍ବିତ ରାତିରୁ ଗଞ୍ଜାମ, ଗଜପତିରେ ବର୍ଷା, ପବନ ବଢ଼ିଥିଲା । ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ରେଗେଡିସିଂ ପାହାଡ଼ରୁ ମାଟି ଅତଡ଼ା ଖସି ଗାଁ ଭିତରକୁ ଧସେଇ ପଡ଼ିଲା । ଏଥିରେ ଗାଁର ମୁଖ୍ୟ ରାସ୍ତା ବନ୍ଦ ହୋଇଯାଇଛି । ବହୁ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରି ଯିବା ବାଟରେ କଇଁପୁର- ବୁରୁଖୁତ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି । କଇଁପୁର ପଞ୍ଚାୟତ ଓଡ଼ାଲିଙ୍ଗ ଗ୍ରାମ ତଳ ସାହିରେ ଗଛ ପଡ଼ି ବିଦ୍ୟୁତ୍ ତାର ଛିଣ୍ଡିଯାଇଛି । ଗଣ୍ଡାହାତୀ ପଞ୍ଚାୟତ କାର୍ଯ୍ୟାଳୟ କୋଠା ଉପରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିଛି । ଗୋପାଳପୁରରେ ଝଟକା ପବନ ଯୋଗୁ ଗଛ ଉପୁଡ଼ି ପଡ଼ିବାରୁ ମାଗୁରା, ଜଗମୋହନ, ନନ୍ଦିଗୋର, ଜାହାଡା ଦେଇ ସୋରଡା-ଆସିକା ରାସ୍ତା ଅବରୋଧ ହୋଇଥିଲା । ତପ୍ତପାଣି ଘାଟି ରାସ୍ତା ଜଳାର୍ଣ୍ଣବ ହୋଇଛି । ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଚାଲିଥିଲା । ଏଥିରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଛି । ବ୍ରହ୍ମପୁର ସହରରେ ବିଦ୍ୟୁତ ସଂଯୋଗ ଘଣ୍ଟା ଘଣ୍ଟା ଧରି ବିଚ୍ଛିନ୍ନ ହୋଇ ହୋଇଛି । ଶରଧାବାଲି ୪ ନଂ ଲେନ୍ରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଶହଶହ ଘର ଅନ୍ଧାରରେ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ଋଷିକୁଲ୍ୟା, ଘୋଡ଼ାହାଡ଼, ବାହୁଦା, ନନ୍ଦିନୀ, ବାଘୁଆ ନଦୀ ଫୁଲିବାରେ ଲାଗିଛି ।
ବୁଧବାର ସନ୍ଧ୍ୟାରେ ଋଷିକୁଲ୍ୟା ଓ ବଡ଼ ନଦୀ ବିପଦ ସଙ୍କେତ ଟପିଛି । ଅନେକ ଗାଁରେ ପାଣି ପଶିଥିବାର ଖବର ମିଳିଛି । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ମୁଟୁକୁଣିର ୪୮ ପରିବାରକୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ରାୟଗଡ଼ା ବ୍ଲକର ତାମଲବାଇ, ବିଷମକଟକ ବ୍ଲକର ବେଥିଆପଡ଼ା ଓ ରାମନାଗୁଡ଼ା ବ୍ଲକ୍ କଣ୍ଡା ତାମିଙ୍ଗିରେ କେତେକ ଘର ଭାଙ୍ଗିଛି । ରାୟଗଡ଼ା ବ୍ଲକ ପେରିଗାଁରେ ଗଛପଡ଼ି ସ୍କୁଲ୍ କୋଠା କ୍ଷତିଗ୍ରସ୍ତ ହୋଇଛି । ଗୁଣପୁର ଓ ରାମନାଗୁଡ଼ା ଅଞ୍ଚଳରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି । ଗୁଣପୁରରୁ ଆନ୍ଧ୍ରର ବାତିଲକୁ ସଂଯୋଗ କରୁଥିବା ରାସ୍ତା ସମେତ ୩୨୬ ନଂ ଏନଏଚରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାମନାଗୁଡ଼ା ଅଞ୍ଚଳର ୩୨୬ ନଂ ଏନ୍ଏଚ୍ରେ ପାରିକିତି ଘାଟି ଓ ପେଟ୍ରୋଲ ପମ୍ପ ନିକଟରେ ଗଛ ପଡ଼ିବାରୁ ମୁଖ୍ୟ ରାସ୍ତା ଅବରୋଧ ହୋଇଛି । କୋରାପୁଟ-ରାୟଗଡ଼ା ୩୨୬ ଏନଏଚରେ ଘୋଡ଼଼ାବନ୍ଧ ବ୍ରିଜ୍ ରାସ୍ତା ଧସିଯାଇଛି । ନବରଙ୍ଗପୁରର ଉମରକୋଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବାବେଳେ ଲକ୍ଷ୍ମୀପୂଜା ତୋରଣ ଭାଙ୍ଗିଛି । ଭଦ୍ରକରେ ପ୍ରବଳ ବର୍ଷା ଯୋଗୁ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ନୂଆପଡ଼ାରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝରରେ ବି ପ୍ରଭାବ ପଡ଼ିଛି ।

  • Related Posts

    ଭୂସ୍ଖଳନରେ ଶିଶୁ ସମେତ ୩ ମୃତ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା

    ‘ଅର୍ଣ୍ଣବ’ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ…

    Continue reading
    ପିଏମ୍ କିଷାନ: ଓଡ଼ିଶାରେ ୩୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଗଲା ୭୦୭.୮୬ କୋଟି

    ଭୁବନେଶ୍ଵର : ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୨୪ତମ କିସ୍ତି ବଣ୍ଟନ । ଗୁଜରାଟର ବନାସକାଣ୍ଠାରୁ ପିଏମ୍-କିଷାନ ଟଙ୍କା ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୬୯୦ କୋଟି ଟଙ୍କା । ଓଡ଼ିଶାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ