
ନୂଆଦିଲ୍ଲୀ: କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ମହାନଦୀ ଜଳ ଆବଣ୍ଟନ ନେଇ ଖୁବ୍ଶୀଘ୍ର ତାହାର ଚୂଡାନ୍ତ ରିପୋର୍ଟ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟକୁ ପ୍ରଦାନ କରିବ । ଏହାଫଳରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦ରେ ହେବ ବୋଲି ସ୍ଥିର କରାଯାଇଛି ।ଟ୍ରିବ୍ୟୁନାଲ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ବିବାଦର ସମାଧାନ କରିବାକୁ ଚାହାନ୍ତି କାରଣ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀ ୧୩ରେ ଶେଷ ହେବାକୁ ଯାଉଛି । ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦର ସମାଧାନ ନେଇ ସୋମବାର ଶୁଣାଣି ହୋଇଥିଲା । ଓଡିଶା ସରକାରଙ୍କ ଏଜି ପିତାମ୍ବର ଆଚାର୍ଯ୍ୟ ଓ ଛତିଶଗଡ଼ ଏଜି ଶୁଣାଣି ବେଳେ ଉପସ୍ଥିତ ଥିଲେ । ସେମାନେ ଦର୍ଶାଇଥିଲେ ଯେ, ଉଭୟ ରାଜ୍ୟ ଏହି ବିବାଦର ଶୀଘ୍ର ସମାଧାନ ଚାହାନ୍ତି । ଏଥିଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଶୁଣାଣି ସମୟରେ ଓଡିଶା ଏଜି ପରବର୍ତ୍ତୀ ତାରିଖ ପାଇଁ କିଛି ଅଧିକ ସମୟ ମାଗିଥିଲେ । ତେବେ ଟ୍ରିବ୍ୟୁନାଲ ଏଥିରେ ରାଜି ନ ହୋଇ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦ରେ ହେବ ବୋଲି ସ୍ଥିର କରିଥିଲେ ।ଶୁଣାଣି ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଥିଲେ ଯେ, ସିଡବ୍ଲୁସି ଅଧ୍ୟକ୍ଷତାରେ ପାଞ୍ଚ ଥର ଉଭୟ ରାଜ୍ୟର ବୈଷୟିକ ଟିମ୍ର ବୈଠକ ହୋଇସାରିଛି । କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ଏଥିରେ ମଧ୍ୟସ୍ଥତା କରୁଛି । ଜଳ ଆବଣ୍ଟନ ନେଇ ଉଭୟ ରାଜ୍ୟ ସେମାନଙ୍କ ସମସ୍ତ ତଥ୍ୟ ପ୍ରଦାନ କରିସାରିଛନ୍ତି ।






