
ଭୁବନେଶ୍ଵର: ବର୍ଷା ଛାଡ଼ିବା ପରେ ଶୀତର ଆଗମନ । ରାଜଧାନୀ ଭୁବନେଶ୍ୱରରେ ଚଳିତ ଋତୁର ପ୍ରଥମ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଆଜି ସକାଳୁ ସହରର ସର୍ବନିମ୍ନ ଦୃଶ୍ୟମାନ ଦୂରତା ପ୍ରାୟ ୧୫୦ ମିଟରକୁ ଖସିଆସିଥିବା ବେଳେ ସାରା ସହର କୁହୁଡ଼ିର ଏକ ମୋଟା ଧଳା ଚାଦରରେ ଢାଙ୍କି ହୋଇଯାଇଥିଲା । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
କେବଳ ଭୁବନେଶ୍ୱର ନୁହେଁ, ପଡ଼ୋଶୀ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଆଜି ସକାଳୁ ଚଳିତ ବର୍ଷର ପ୍ରଥମ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି କାରଣରୁ ସକାଳୁ ସକାଳୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାଘାଟ, ଗଛଲତାଠାରୁ ଆରମ୍ଭ କରି ବଡ଼ ବଡ଼ ବିଲ୍ଡିଂ ପର୍ଯ୍ୟନ୍ତ ସବୁକିଛି କୁହୁଡ଼ିରେ ଲୁଚି ରହିଥିବା ଦେଖିବାକୁ ମିଳିଛି । ଗାଡ଼ି ଚାଳକମାନେ ହେଡଲାଇଟ୍ ଜାଳି ମନ୍ଥର ଗତିରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ, କୁହୁଡ଼ିଭରା ଶୀତୁଆ ସକାଳର ମନୋରମ ପ୍ରାକୃତିକ ଦୃଶ୍ୟକୁ ରାଜଧାନୀବାସୀ ଉପଭୋଗ କରୁଛନ୍ତି । ଆଗାମୀ ଦିନରେ ରାତିର ତାପମାତ୍ରା କମିବା ସହ ଶୀତର ପ୍ରକୋପ ବଢ଼ିବ ଏବଂ ଏପରି କୁହୁଡ଼ିର ଆସ୍ତରଣ ଆଗକୁ ଆହୁରି ଅଧିକ ଦେଖାଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।




