ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭା ଆସନ ସଂଖ୍ୟା ୫୪୩ ରହିଛି । ଏହି ସଂଖ୍ୟା ୮୫୦କୁ ବୃଦ୍ଧି ପାଇବ । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ସରକାର ଏଥିଲାଗି ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ସୀମା ପୁନଃ ନିର୍ଦ୍ଧାରଣ (ସଂଶୋଧନ) ବିଲ୍ ଏବଂ କେନ୍ଦ୍ରଶାସିତ ଆଇନ (ସଂଶୋଧନ) ବିଲ୍, ୨୦୨୬ ଆଣିବେ । ସୂତ୍ର ଅନୁସାରେ, ସରକାରଙ୍କ ପକ୍ଷରୁ ସମସ୍ତ ସାଂସଦଙ୍କ ନିକଟକୁ ଚିଠା ବିଲ୍ ପଠାଯାଇଛି । ପ୍ରସ୍ତାବିତ ମୋଟ ୮୫୦ ଆସନ ମଧ୍ୟରୁ ୮୧୫ଟି ରାଜ୍ୟଙ୍କୁ ମିଳିବ । ବାକି ୩୫ଟି କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି)ଗୁଡ଼ିକୁ ପ୍ରଦାନ କରାଯିବ ।

ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ୧୬ (ଗୁରୁବାର)ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ତିନିଦିନିଆ ଅଧିବେଶନ ଡକାଯାଇଛି । ଏଥିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ଏବଂ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଉପରେ ଚର୍ଚ୍ଚା ହେବ । ଲୋକସଭା ଆସନ ବଢ଼ାଇବା ପାଇଁ ଜନସଂଖ୍ୟାକୁ ଆଧାର କରାଯିବ । ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ନିମନ୍ତେ ୨୦୧୧ ଜନଗଣନାକୁ ଆଧାର ବନାଇବା ନେଇ ପ୍ରସ୍ତାବ ରହିଛି । ଜନସଂଖ୍ୟା ପରିଭାଷାରେ ସଂଶୋଧନ ନେଇ ଯୋଜନା ଅଛି । ଏହାଦ୍ୱାରା ଆସନ ସଂଖ୍ୟା ବଢ଼ାଇବା ସକାଶେ କେଉଁ ତଥ୍ୟ ବ୍ୟବହାର କରାଯିବ, ତାହା ସଂସଦ ସ୍ଥିର କରିବ । ୨୦୨୯ ସାଧାରଣ ନିର୍ବାଚନରୁ ଏହି ସଂଶୋଧନକୁ କାର୍ଯ୍ୟକାରୀ କରିବା ଲାଗି ଯୋଜନା ରହିଛି । ଅର୍ଥାତ୍ ୨୦୨୯ରେ ୮୫୦ ଲୋକସଭା ଆସନରେ ହିଁ ନିର୍ବାଚନ ଅନୁଷ୍ଠିତ ହେବ ।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୮୦ରୁ ବଢ଼ି ୧୨୦ ହୋଇପାରେ । ମହାରାଷ୍ଟ୍ରରେ ଏହି ସଂଖ୍ୟା ୪୮ରୁ ବୃଦ୍ଧି ପାଇ ୭୨ ହୋଇପାରେ । ପଶ୍ଚିମବଙ୍ଗରେ ୪୨ରୁ ବଢ଼ି ୬୩, ବିହାରରେ ୪୦ରୁ ୬୦, ମଧ୍ୟପ୍ରଦେଶରେ ୨୯ରୁ ୪୪, ରାଜସ୍ଥାନରେ ୨୫ରୁ ୩୮, ଗୁଜରାଟରେ ୨୬ରୁ ୩୯ ଏବଂ ଓଡ଼ିଶାରେ ୨୧ରୁ ବଢ଼ି ୩୨ ହୋଇପାରେ । ଅନୁସୂଚିତ ଜାତି (ଏସ୍ସି) ପାଇଁ ସଂରକ୍ଷିତ ଆସନ ସଂଖ୍ୟା ୮୪ରୁ ବଢ଼ି ୧୨୬ ଏବଂ ଅନୁସୂଚିତ ଜନଜାତି (ଏସ୍ଟି) ପାଇଁ ସଂରକ୍ଷିତ ଆସନ ୪୭ରୁ ବୃଦ୍ଧି ପାଇ ୭୦ ହେବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ କିଛି ଦକ୍ଷିଣ ଭାରତୀୟ ରାଜ୍ୟ ଆପତ୍ତି ଉଠାଇବା ଆରମ୍ଭ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ କହିଛନ୍ତି, ଦକ୍ଷିଣ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ସକାଶେ କେନ୍ଦ୍ରର ନୀତି ପାଳନ କରିଥିଲେ । କିନ୍ତୁ ଏବେ ସେମାନଙ୍କୁ ଏହାର ଦଣ୍ଡ ମିଳୁଛି । ଦକ୍ଷିଣ ରାଜ୍ୟଗୁଡ଼ିକର ହିତ ଯେମିତି ପ୍ରଭାବିତ ନ ହୁଏ, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । କିନ୍ତୁ ଅଦ୍ୟାବଧି ତାହାର ଜବାବ ମିଳିନାହିଁ । ରାଜ୍ୟସଭା ସାଂସଦ କପିଲ ସିବଲ କହିଛନ୍ତି, ସରକାର ୨୦୨୯ ଲୋକସଭା ନିର୍ବାଚନରେ ରାଜନୈତିକ ଫାଇଦା ନେବା ଉଦ୍ଦେଶ୍ୟରେ ଏ ସବୁ କରୁଛନ୍ତି । ଯଦି ସରକାର ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ଚାହାନ୍ତି, ତେବେ ବର୍ତ୍ତମାନର ୫୪୩ ଆସନରେ ହିଁ ଏହାକୁ କାର୍ଯ୍ୟକାରୀ କରିପାରିବେ । ଆସନଗୁଡ଼ିକର ପୁନଃ ଆବଣ୍ଟନ ଦ୍ୱାରା ଉତ୍ତର ଭାରତକୁ ସର୍ବାଧିକ ଫାଇଦା ମିଳିବ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ କହିଛନ୍ତି, ଯଦି ଅନୁପାତ ଆଧାରରେ ଆସନ ସଂଖ୍ୟା ବୃଦ୍ଧି କରାଯାଏ, ତେବେ ଦକ୍ଷିଣ ରାଜ୍ୟଗୁଡ଼ିକରେ ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ କ୍ଷତି ହୋଇପାରେ । ଏହି ପଦକ୍ଷେପ ଦକ୍ଷିଣ ରାଜ୍ୟଗୁଡ଼ିକର ରାଜନୈତିକ କ୍ଷମତା କମାଇବା ପାଇଁ ଏକ ଷଡ଼ଯନ୍ତ୍ର । ଅନ୍ୟପକ୍ଷରେ ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟଗୁଡ଼ିକ ଲାଗି କିଛି ପ୍ରସ୍ତାବ ରହିଥିବା କୁହାଯାଉଛି । କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଭଳି ଦକ୍ଷିଣ ରାଜ୍ୟ କ୍ଷେତ୍ରରେ ଜନସଂଖ୍ୟା ଅନୁପାତରେ ଲୋକସଭା ଆସନ ସଂଖ୍ୟା କମାଯିବା ଆଶଙ୍କା ନାହିଁ । ଏଠାରେ ଆସନ ସଂଖ୍ୟା କିଛିଟା ବଢ଼ିବା କିମ୍ବା ଅପରିବର୍ତ୍ତିତ ରହିପାରେ ବୋଲି କୁହାଯାଉଛି ।

  • Related Posts

    ପୱନ ଖେଡ଼ାଙ୍କ ଅନ୍ତରୀଣ ଜାମିନ୍ ଉପରେ ରୋକ୍

    ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଧକ୍କା । ଆସାମରେ ଦାୟର ହୋଇଥିବା ଏକ ଏଫଆଇଆର ମାମଲାରେ କଂଗ୍ରେସ ନେତା ପଓ୍ବନ ଖେଡାଙ୍କୁ ଦିଆଯାଇଥିବା ଗୋଟିଏ ସପ୍ତାହର ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏଫଆଇଆରରେ ସେ…

    Continue reading
    ବିହାରରେ ଜେଡିୟୁର ୨ ନେତା ଉପମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ଏହା ସହିତ ସେ ପାଲଟି ଯାଇଛନ୍ତି ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ।ପାଟନାରେ ଲୋକଭବନରେ ରାଜ୍ୟପାଳ ସୈୟଦ ଅତା ହସନୈନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ