
ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ମୌଳିକ ଅଧିକାର ସମସ୍ତଙ୍କର ରହିଛି; ଏନେଇ କୌଣସି ବିବାଦ ନାହିଁ। ମାତ୍ର ଏନେଇ ପୁଲିସର ଅନୁମତି ଓ ନିୟମକୁ ମାନିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ପୁଲିସ ବେଆଇନ ଭାବେ ଅଟକ ତଥା ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କକ୍ରୋଚ ଜନତା ପାର୍ଟି(ସିଜେପି)ର ଯନ୍ତର ମନ୍ତର ବିକ୍ଷୋଭ ବେଳେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସର ଆଗୁଆ ନେଇଥିବା ବିଭିନ୍ନ କଠୋର ପଦକ୍ଷେପ ସଂପର୍କରେ ଆଗତ ମାମଲାର ସ୍ବତନ୍ତ୍ର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ରବିବାର ସୁପ୍ରିମକୋର୍ଟ ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ବିଚାରପତି ଭି. ମୋହନା ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଶୁଣାଣି କରି କେନ୍ଦ୍ର ସରକାର, ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଏକାଧିକ ନିର୍ଦେଶନାମା ଜାରି କରିଛନ୍ତି।
ଜାରି ନିର୍ଦେଶନାମାରେ ଅଦାଲତ କହିଛନ୍ତି ଯେ, ଆବଶ୍ୟକ ଆଇନଗତ ପ୍ରକ୍ରିୟା ବିନା କୌଣସି ନାଗରିକଙ୍କୁ ବେଆଇନ ଭାବେ ଅଟକ ରଖାଯାଇପାରିବ ନାହିଁ। ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୬୩ ଅନୁଯାୟୀ କଟକଣା ଲାଗୁ ହୋଇ ନଥିବା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେଉଥିବା ଲୋକଙ୍କୁ ବେଆଇନ ଭାବେ ଅଟକ ରଖାଯାଇପାରିବ ନାହିଁ। ୧୬୩ ଧାରା ଜାରି ହୋଇ ନଥିବା ଅଞ୍ଚଳରେ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଅନୁମତି ଦିଆଯିବ।
ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ମେଟ୍ରୋ ଏକାଧିକ ଷ୍ଟେସନ ବନ୍ଦ କରାଯିବାକୁ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସୁପ୍ରିମକୋର୍ଟ କୈଫିୟତ ମାଗିଛନ୍ତି। ଏହା ସହିତ ସମସ୍ତ ମେଟ୍ରୋ ଷ୍ଟେସନ ଓ ଟ୍ରେନ୍ ସେବା ସ୍ୱାଭାବିକ ରଖିବାକୁ ନିର୍ଦେଶ ଦେଇଛନ୍ତି। ସହରସାରା ଲଗାଯାଇଥିବା ବାରିକେଡ୍ଗୁଡ଼ିକର ସମୀକ୍ଷା କରିବା ସହ ନାଗରିକଙ୍କ ଅବାଧ ଯାତାୟାତ ଓ ଇଣ୍ଟରନେଟ୍ ସେବା ସ୍ବାଭାବିକ
କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆନ୍ଦୋଳନ ସମୟରେ ଓକିଲ ଓ ସାମ୍ବାଦିକମାନଙ୍କୁ କାର୍ଯ୍ୟ କରିବାରେ ପୁଲିସ କୌଣସି ପ୍ରକାର ବାଧା ସୃଷ୍ଟି କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ପୂର୍ବ ନିର୍ଦେଶ ସତ୍ତ୍ୱେ ଅକ୍ଟୋବର ୧୦ରେ ମେଟ୍ରୋ ଷ୍ଟେସନଗୁଡ଼ିକ ବନ୍ଦ ରଖାଯାଇଥିବାରୁ କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ନେଇ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। କୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷଙ୍କୁ ଜାରି କରିଥିବା ନୋଟିସର ଜବାବ ମଙ୍ଗଳବାର ସୁଦ୍ଧା ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ନୋଟିସର ଜବାବ ମିଳିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର କରାଯିବ। ଆଡଭୋକେଟ୍ ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ପକ୍ଷରୁ ଦାୟର ପିଟିସନରେ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ଦିଲ୍ଲୀ ପୁଲିସ କମିସନର ଅନୁରାଗ କୁମାର ଓ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଅଧ୍ୟକ୍ଷଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲୁ କରିବାକୁ ଦାବି ହୋଇଛି। ଆବେଦନରେ କୁହାଯାଇଛି ଯେ ଅକ୍ଟୋବର ୯ରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯେ ସିଜେପିର ବିକ୍ଷୋଭ ପୂର୍ବରୁ ସାଧାରଣ ପରିବହନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ନାହିଁ। ଏହା ସତ୍ତ୍ବେ ମେଟ୍ରୋ କର୍ତ୍ତୃପକ୍ଷ ୪୫ଟି ଷ୍ଟେସନକୁ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲେ।
ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ସମ୍ବିଧାନର ଧାରା ୧୯(୧)(ଏ) ଅଧୀନରେ ନାଗରିକଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର ଅଛି। କେବଳ ସାଧାରଣ ଆଇନ-ଶୃଙ୍ଖଳା ନାମରେ ଏହି ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନିଆଯାଇପାରିବ ନାହିଁ। ସେ ଦାବି କରିଥିଲେ ଯେ ଦିଲ୍ଲୀ ବାହାରୁ ଆସୁଥିବା ଟ୍ରେନ୍ଗୁଡ଼ିକୁ ରୋକାଯିବା, ମେଟ୍ରୋ ଷ୍ଟେସନ ବନ୍ଦ କରାଯିବା ଓ ଇଣ୍ଟରନେଟ୍ ସେବା ବନ୍ଦ ଦ୍ୱାରା ସମ୍ପୂର୍ଣ୍ଣ ସହରକୁ ଅଚଳ କରିଦିଆଯାଇଥିଲା। ସେ ଦର୍ଶାଇଥିଲେ ଯେ ଘଟଣାସ୍ଥଳରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କୁ କାର୍ଯ୍ୟ କରିବାରେ ପୁଲିସ ବାଧା ଦେଇଥିଲା। ଆଇନଜୀବୀ ମେନକା ଗୁରୁସ୍ୱାମୀ କହିଥିଲେ ଯେ ୭,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖାଯିବା, ୪୫ଟି ଅସ୍ଥାୟୀ ଅଟକ କେନ୍ଦ୍ର ଖୋଲାଯିବା ଏବଂ ସାଂସଦ/ବିରୋଧୀ ନେତାଙ୍କୁ ଗୃହବନ୍ଦୀ କରିବା ୧୯୭୫ ଜରୁରୀକାଳୀନ ସ୍ଥିତିକୁ ମନେ ପକାଇଦେଉଛି। ଅନ୍ୟତମ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍ ଭିଡିଓ ଓ ସ୍କ୍ରିନସଟ୍ ଦାଖଲ କରି ଦର୍ଶାଇଥିଲେ ଯେ ପୁଲିସ କର୍ମଚାରୀମାନେ ବିନା ନାମ-ବ୍ୟାଜ୍ରେ ବିକ୍ଷୋଭକାରୀ ଓ ଯୁବକମାନଙ୍କୁ ମାଡ଼ ମାରୁଛନ୍ତି ଏବଂ ଗାଡ଼ିରେ ଉଠାଇ ନେଉଛନ୍ତି। ଆଇନଜୀବୀ କେକେ ବେଣୁଗୋପାଳ ଦର୍ଶାଇଥିଲେ ଯେ କୋର୍ଟକୁ ଆସୁଥିବା ଆଇନଜୀବୀଙ୍କୁ ମଧ୍ୟ ପୁଲିସ ଭ୍ୟାନରେ ଉଠାଇ ନେଇ ୧୦-୧୨ କିମି ଦୂରରେ ଛାଡ଼ି ଦେଇଥିଲା। ଯଦ୍ଦ୍ବାରା ସେମାନେ ଅଦାଲତରେ ପହଞ୍ଚିପାରି ନଥିଲେ।
ଅନ୍ୟପଟେ ସରକାରଙ୍କ ପକ୍ଷରୁ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ ଯେ ପୁଲିସ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପ ନିୟମ ଓ ଆଇନଗତ ପ୍ରକ୍ରିୟା ଅନୁସାରେ ହୋଇଛି। ସେ ଯୁକ୍ତି ଦର୍ଶାଇଥିଲେ ଯେ ଯେଉଁମାନଙ୍କୁ ଅଟକ ରଖାଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମୁକ୍ତ କରାଯାଇସାରିଛି। ତେଣୁ ଆବେଦନଗୁଡ଼ିକର ଆଉ କୌଣସି ଔଚିତ୍ୟ ନାହିଁ। ଆବେଦନକାରୀଙ୍କ ‘ସହର ସମ୍ପୂର୍ଣ୍ଣ ଅଚଳ’ ଅଭିଯୋଗକୁ ଖଣ୍ଡନ କରି ମେହେଟ୍ଟା କହିଥିଲେ ଯେ ଦିଲ୍ଲୀ ମେଟ୍ରୋର ସମସ୍ତ ୩୦୩ଟି ଷ୍ଟେସନ୍ ବନ୍ଦ ହୋଇ ନଥିଲା, କେବଳ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୪୫ଟି ଷ୍ଟେସନ (ପ୍ରାୟ ୧୫%)ର ପ୍ରବେଶ ଓ ପ୍ରସ୍ଥାନରେ ଆଂଶିକ କଟକଣା ଲଗାଯାଇଥିଲା। ସେ ସ୍ପଷ୍ଟ କରିଥିଲେ ଯେ ଦିଲ୍ଲୀରେ ସମ୍ପୂର୍ଣ୍ଣ ଇଣ୍ଟରନେଟ୍ ବ୍ୟାନ କରାଯାଇ ନଥିଲା କିମ୍ବା ସାଧାରଣ ନାଗରିକଙ୍କ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରାଯାଇ ନଥିଲା। ସେ ଦର୍ଶାଇଥିଲେ ଯେ ଆନ୍ଦୋଳନକାରୀମାନେ ନିୟମାନୁସାରେ ପୁଲିସ ଠାରୁ ଅନୁମତି ନନେଇ ପ୍ରଦର୍ଶନ ପାଇଁ ଏକାଠି ହୋଇଥିଲେ। ତେଣୁ ଆଇନ-ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଏବଂ କୌଣସି ପ୍ରକାର ହିଂସା କିମ୍ବା ସାର୍ବଜନୀନ ଅଶାନ୍ତି ଏଡ଼ାଇବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମେହେଟ୍ଟା କହିଥିଲେ ଯେ ପୁଲିସ ଓ ସରକାରଙ୍କ ପକ୍ଷରୁ ସମସ୍ତ ତଥ୍ୟ, ଅଟକର କାରଣ ଓ ମେଟ୍ରୋ ଷ୍ଟେସନର ସ୍ଥିତି ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ସତ୍ୟପାଠ କୋର୍ଟରେ ଦାଖଲ କରାଯିବ। ସିଲିସିଟର ଜେନେରାଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ ଯେ ସରକାର ଶାନ୍ତି ଓ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ କଟକଣା ଲାଗୁ କରିପାରିବେ; କିନ୍ତୁ ସାଧାରଣ ନାଗରିକ ଓ ସେବାଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇପାରିବେ ନାହିଁ।








