
ଭୁବନେଶ୍ୱର: କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆରସି) ଟିମ୍ ତଦନ୍ତର ଦିଗକୁ ସୌମ୍ୟଙ୍କ ଇତିହାସ ଆଡ଼େ ମୋଡିଛି । ତାଙ୍କ ଚାକିରି କାଳ ସହ ପୁରୁଣା ପ୍ରେମିକା ସହ ସମ୍ପର୍କ ଓ ବିବାଦର ସତ ପରଖିଛି । ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇପିଏସ୍ଙ୍କ ସମ୍ପୃକ୍ତିକୁ ନେଇ ଖୋଳତାଡ଼ ଜାରି ରଖିଛି । ବଡ଼ କଥା ହେଲା, ସମ୍ପୃକ୍ତ ଆଇପିଏସ୍ଙ୍କ ବାସଭବନରେ ସୌମ୍ୟ ଡ୍ୟୁଟି କରୁଥିବାର କୌଣସି ସୁରାକ ଟିମ୍କୁ ମିଳିନାହିଁ ।ଏନ୍ଏଚ୍ଆର୍ସି ଟିମ୍ ଗୁରୁବାର ଅପରାହ୍ଣରେ କଟକ ଓଏମ୍ପି ଛକସ୍ଥିତ ଜିଆର୍ପି ଏସ୍ପିଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ସେଠାରେ ପ୍ରାୟ ୩ଘଣ୍ଟା ରହି ସୌମ୍ୟଙ୍କ ସର୍ଭିସ ରେକର୍ଡ ପରଖିଥିଲା । ସୌମ୍ୟ କେବେ ଚାକିରି ପାଇଥିଲେ? ମାସିକ ଦରମା କେତେ ଥିଲା? କେତେ ଦିନ ଛୁଟିରେ ରହିଥିଲେ? ଚାକିରିରୁ କାହିଁକି ନିଲମ୍ବନ କରାଗଲା? ଆକାଉଣ୍ଟ ସେକ୍ସନ ଓ ରିଜର୍ଭ ସେକ୍ସନ୍ ବା ଫୋର୍ସ ସେକ୍ସନ୍କୁ ଏନେଇ ଆବଶ୍ୟକ କାଗଜପତ୍ର ଉଣ୍ଡାଳିଥିଲା । ବଡ଼ କଥା ହେଉଛି, ଚାକିରି କାଳରେ ସୌମ୍ୟ ଜଣେ ବରିଷ୍ଠ ଆଇପିଏସ୍ଙ୍କ ଘରେ ଡ୍ୟୁଟି କରୁଥିବାର ଅଭିଯୋଗ ଉଠିଥିଲା । କିନ୍ତୁ ଏହାର ତଥ୍ୟ ଏସ୍ପିଙ୍କ କାର୍ଯ୍ୟାଳୟରୁ ମିଳିଲାନି । ସୌମ୍ୟ ଜିଆର୍ପି କାର୍ଯ୍ୟାଳୟରେ କେତେ ଦିନ ଅନୁପସ୍ଥିତ ଥିଲେ, ସେନେଇ ତଥ୍ୟ ହାତେଇ ଫେରିଥିଲା ଟିମ୍ ।
ଜିଆର୍ପି ଏସ୍ପି ଭବାନୀ ଉଦ୍ଗାତାଙ୍କ କହିବାନୁସାରେ, ଏନ୍ଏଚ୍ଆର୍ସି ଟିମ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଛି । ଯାହା ବି କାଗଜପତ୍ର ମାଗିଥିଲେ, ସେସବୁ ଦିଆଯାଇଛି । କିିଛି ସର୍ଭିସ ରେକର୍ଡର ନକଲ ମଧ୍ୟ ଟିମ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ତଦନ୍ତ ପ୍ରକ୍ରିୟାର ଚତୁର୍ଥ ଦିନରେ ରାଜ୍ୟ ଅତିଥି ଭବନରେ ହାଜର ହୋଇଥିଲେ ସୌମ୍ୟଙ୍କ ବାନ୍ଧବୀ । ୨୦୨୨ ମସିହାରେ ବାନ୍ଧବୀ କଟକ ମହିଳା ଥାନାରେ ସୌମ୍ୟଙ୍କ ବିରୋଧରେ ଲଭ୍-ସେକ୍ସ-ଧୋକ୍କା ଏତଲା ଦେଇଥିଲେ । ଏମିତିକି ସୌମ୍ୟ ଗାଡିି ଚଢ଼ାଇ ବାନ୍ଧବୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ଆଣିଥିଲେ ଯେଉଁଥିପାଇଁ ସୌମ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ । ଚାକିରିରୁ ନିଲମ୍ବିତ ହୋଇଥିଲେ ।
ସୌମ୍ୟ ହତ୍ୟା ସହ ଏହି ମାମଲାର କିଛି ଲିଙ୍କ୍ ଅଛି କି ନାହିଁ, ତାହା ଯାଞ୍ଚ କରିଥିଲା ଏନ୍ଏଚ୍ଆର୍ସି ଟିମ୍ । ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ତାଙ୍କୁ ଜେରା କରାଗଲା । ତଦନ୍ତକାରୀ ଅଧିକାରୀମାନେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଜୋନ୍-୪ ଏସିପି ଅଭିମନ୍ୟୁ ନାୟକ, କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରିଣୀ ତଥା ଡିଏସ୍ପି ରତ୍ନପ୍ରଭା ଶତପଥୀ, ବାଲିଅନ୍ତା ଥାନାର ପୂର୍ବତନ ତଦନ୍ତ ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଏସ୍ଆଇଙ୍କୁ ମଧ୍ୟ ଟିମ୍ ଜେରା କରିଛି ।


