
ଭୁବନେଶ୍ଵର : ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର। ଚାଷୀମାନଙ୍କୁ ସଠିକ୍ ସମୟରେ ମିଳିବ ସାର। କଳାବଜାରୀ ରୋକିବାକୁ ସମବାୟ ବିଭାଗ ଦ୍ଵାରା ଏକ ନୂତନ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ଦ୍ଵାରା ଚାଷୀମାନଙ୍କୁ ସହଜ ଓ ସୁଗମ ଭାବରେ ସାର ବଣ୍ଟନ ହୋଇପାରିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ନୂତନ ଯୋଜନାର ନାମ ହେଉଛି—”ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି।” ଅର୍ଥ ବିଭାଗ ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଅନୁମୋଦନ ପ୍ରଦାନ କରିସାରିଛି। ଏହି ଯୋଜନା ସମବାୟ ସମିତିଗୁଡ଼ିକର (PACS/LAMPCS) ଏକ ପ୍ରମୁଖ ଆର୍ଥିକ ସମସ୍ୟାର ସମାଧାନ କରିବ। ସାଧାରଣତଃ ଚାଷ ସମୟ ପୂର୍ବରୁ (ଅଗ୍ରୀମ ଭାବେ) ସାର ଆଣି ମହଜୁଦ ରଖିବା ଯୋଗୁଁ ସମିତିଗୁଡ଼ିକ ଉପରେ ମାତ୍ରାଧିକ ସୁଦ୍ଧ ବୋଝ ପଡ଼ିଥାଏ। କ୍ୟାଶ୍ କ୍ରେଡିଟ୍ (CC) ଋଣ ଉପରେ ୧୦୦% ସୁଦ୍ଧ ରିହାତି ପ୍ରଦାନ କରି ରାଜ୍ୟ ସରକାର ଏହି ଆର୍ଥିକ ବାଧାକୁ ଦୂର କରୁଛନ୍ତି। ଯାହାଦ୍ୱାରା ସମବାୟ ସମିତିଗୁଡ଼ିକ ପାଇଁ ସାରର ଅଗ୍ରୀମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଦ୍ଧ-ମୁକ୍ତ ହୋଇପାରିବ।




