
କଟକ: ନଗ୍ନ ଫଟୋ ଭାଇରାଲ୍ କରିଦେବାର ଭୟ ଦେଖାଇ ଶାରୀରିକ ସଂପର୍କ ରଖିବା ଅର୍ଥ ନୁହେଁ ‘ସହମତି’ରେ ସମ୍ପର୍କ ରଖିବା । ଏହା ଦୁଷ୍କର୍ମ । ଏହି ପରିପ୍ରେକ୍ଷୀରେ ନିମ୍ନ ଅଦାଲତଙ୍କ ଦ୍ୱାରା ୧୦ବର୍ଷ ଜେଲ୍ ଦଣ୍ଡ ପାଇଥିବା ଦୁଷ୍କର୍ମ ଆସାମୀ ଶଙ୍କର ବେହେରାର ଦଣ୍ଡାଦେଶକୁ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ପାଣିଗ୍ରାହୀ କାଏମ୍ ରଖିବା ସହ ଆବେଦନକାରୀର ଅପିଲ୍କୁ ଖାରଜ କରି ଦେଇଛନ୍ତି ।
୨୦୧୫ ମସିହା ଜୁନ୍ ୭ରେ ଗଞ୍ଜାମ ଥାନାରେ ଏତଲା ଦାଏର ହୋଇଥିଲା କି ଅଢ଼େଇ ବର୍ଷ ତଳେ ଆସାମୀ ପୀଡ଼ିତାଙ୍କୁ କାଜୁ ବଗିଚାରେ ଦୁଷ୍କର୍ମ କରିବା ସହ ନଗ୍ନ ଫଟୋ ଉଠାଇଥିଲା । ପରେ ଗ୍ରାମ୍ୟ କମିଟି ପୀଡ଼ିତାଙ୍କୁ ବିବାହ କରିବାକୁ ତାଙ୍କୁ କହିଥିଲେ । ହେଲେ ସେ ରାଜି ହୋଇନଥିଲେ । ପୁଲିସ୍ ଆସାମୀକୁ ଗିରଫ କରିଥିଲା । ବ୍ରହ୍ମପୁର ପୋକ୍ସୋ ଅଦାଲତ ଆସାମୀକୁ ୧୦ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ । ଏହାକୁ ଚାଲେଞ୍ଜ କରି ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ଆବେଦନକାରୀ ପକ୍ଷରୁ ଦର୍ଶାଯାଇଥିଲା ଯେ, ପୀଡ଼ିତାଙ୍କ ସହ ସହମତିରେ ସମ୍ପର୍କ ରହିଥିଲା । ତେଣୁ ଏହାକୁ ଦୁଷ୍କର୍ମ କୁହାଯାଇ ପାରିବନାହିଁ । ହାଇକୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି ।
