
ଭୁବନେଶ୍ୱର: ମୌସୁମୀ ବିଳମ୍ବରେ ଚାଲିଛି । ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ହେଲା- ସମ୍ଭବତଃ ୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ । ମାତ୍ର ଏ ପୂର୍ବାନୁମାନ କେତେ ଠିକ୍ ହେବ, ଏବେଠାରୁ ସ୍ପଷ୍ଟ କହି ହେବନି । ଚଳିତବର୍ଷ ମେ’ ୨୬ରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ପୂର୍ବାନୁମାନ କରିଥିଲା । କିନ୍ତୁ, ଏଯାଏଁ ମୌସୁମୀ ଆସିଲା ନାହିଁ । ଏପଟେ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ଆସନ୍ତା ୪-୫ ଦିନ ଭିତରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ।
ବର୍ତ୍ତମାନ ମୌସୁମୀ କେରଳ ଛୁଇଁବାର ସମ୍ଭାବ୍ୟ ସମୟ ଜୁନ୍ ୧ ରୁ ୪ ତାରିଖ । ବାୟୁମଣ୍ଡଳୀୟ ସଂଗଠନ ଯଦି ମନ୍ଥର ରହେ, ତେବେ ଏହା ଜୁନ୍ ୫ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚିଯାଇପାରେ । କେରଳରେ ମୌସୁମୀ ବିଳମ୍ବର ଅର୍ଥ ନୁହେଁ ଯେ ଓଡ଼ିଶାରେ ମଧ୍ୟ ସେତିକି ଦିନ ମୌସୁମୀ ଆଗମନ ଡେରି ହେବ । ଅତୀତର ଏଲ୍ନିନୋ ବର୍ଷଗୁଡ଼ିକରେ ଓଡ଼ିଶାରେ ମୌସୁମୀର ଅଗ୍ରଗତି କେରଳରେ ଏହାର ଆଗମନ ତାରିଖ ଅପେକ୍ଷା ବଙ୍ଗୋପସାଗରର ପାଣିପାଗ ପ୍ରକ୍ରିୟା ଦ୍ୱାରା ଅଧିକ ନିୟନ୍ତ୍ରିତ ହୋଇଥାଏ ।
ଆସନ୍ତା ଏକରୁ ଦୁଇ ସପ୍ତାହ ମଧ୍ୟରେ ଯଦି କେନ୍ଦ୍ରୀୟ କିମ୍ବା ଉତ୍ତର ବଙ୍ଗୋପସାଗରରେ ଏକ ସୁସଂଗଠିତ ଲଘୁଚାପ କ୍ଷେତ୍ର ବିକଶିତ ହୁଏ, ତେବେ ଓଡ଼ିଶାକୁ ମୌସୁମୀ ଆଗମନ ଅତି ଦ୍ରୁତ ହେବ । ଯଦି ବଙ୍ଗୋପସାଗରୀୟ ଖଣ୍ଡ ବିକ୍ଷିପ୍ତ ରହେ, ତେବେ ପରିବର୍ତ୍ତନ ପ୍ରକ୍ରିୟା ଧିମା ହେବ । ସ୍ଥିର ମୌସୁମୀ ବର୍ଷା ସ୍ଥାପିତ ହେବା ପୂର୍ବରୁ ମଝିରେ ମଝିରେ ବଜ୍ରପାତ ସହ ବର୍ଷା, ଗୁଳୁଗୁଳି ପାଗ ଏବଂ ସାମୟିକ ଶୁଷ୍କ ପାଗ ରହିବ । ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ରାଜ୍ୟରେ ନିୟମିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇପାରେ । ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ଜାଗାରେ ଘଣ୍ଟା ପ୍ରତି ୫୦ରୁ ୭୦ କିମି ବେଗରେ ପବନ ଆଶଙ୍କା ନେଇ ସତର୍କ ସୂଚନା ଜାରି ହୋଇଛି ।


