
ପୁରୀ: ଗୟଳ ମୋଡ଼ା ପରେ ଶନିବାର ରଥରେ ଯୋକା ସ୍ଥାପନ ହୋଇଛି । ଯୋକାରେ ଖାପ କରି ୪ଟି ବିନ୍ଧ କରାଗଲା । ବିଶ୍ୱକର୍ମା ଓ ଭୋଇସେବକମାନେ ରଥରେ ଯୋକା ସ୍ଥାପନ କରିବା ପରେ ଓଝା ସେବକମାନେ ଯୋକା କଣ୍ଟା ରଥରେ ପିଟିଥିଲେ । ରଥର କୋଣମାନଙ୍କରେ ଯୋକା ଫିଟିଂ କରାଯାଉଛି । ଯୋକା ଦ୍ୱାରା ରଥର ବିଭିନ୍ନ ଅଂଶକୁ ବାନେ୍ଧଣୀ କରାଯାଇଛି । ରଥର ଗୟଳ, ଦଣ୍ଡା ଓ ଅଖକୁ ଯୋକା ବାନ୍ଧି ରଖେ । ଏପଟେ ରଥ ଖଳାରେ ପ୍ରଥମ ଭୂଇଁର ଫ୍ରେମ ପ୍ରସ୍ତୁତ କରୁଛନ୍ତି ନିର୍ମାଣକାରୀ।
ନନ୍ଦିଘୋଷ ଓ ତାଳଧ୍ୱଜର ଯୋକା ସଂଖ୍ୟା ୧୬ ଲେଖାଏଁ । ଦେବଦଳନ ରଥରେ ୧୨ଟି ଯୋକା ଲାଗିଥାଏ । ତାଳଧ୍ୱଜ ରଥର ୪ କୋଣରେ ୪ଟି କରି ୧୬ଟି ଗୁଜ ଓ ସେହି ଅନୁସାରେ ଲାଗିବ ଯୋକା । ନନ୍ଦିଘୋଷ ରଥରେ ସେହି ଅନୁସାରେ ଯୋକା ବୁଲିବ । ଦେବଦଳନ ରଥରେ ୪ କୋଣରେ ୩ଟି କରି ୧୨ଟି ଯୋକା ଲଗାଯାଉଛି । ଦେବଦଳନ, ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ଗୟଳ ପଡ଼ିଲା । ଏହା ପରେ ଗୟଳ ଉପରେ ପଟା ପଡ଼ିଲେ ଚାରିପାର୍ଶ୍ବକୁ ଗଡ଼ାଣିଆ ରଥର ଚଟାଣ ପ୍ରସ୍ତୁତ ହେବ । ରଥର ୧୪ ନାହାକା ପ୍ରସ୍ତୁତ ରହିଛି । ଚାରିନାହାକା ଉପରେ ଛଅ କାଠ ବୁଲି ଚଉଦ ନାହାକା ବସିବ । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକୁ ଚାହିଁ ଭୋଇ ସେବକମାନେ ରଥ କାର୍ଯ୍ୟରେ ଲାଗିଛନ୍ତି । ଖଳାରେ ଭୂଇଁ ଫ୍ରେମ୍ ପ୍ରସ୍ତୁତ ହୋଇ ନମ୍ବରିଂ ପରେ ରଥ ଉପରେ ଉଠିବ ପ୍ରଥମ ଭୂଇଁ । ରୁପକାର, କରତି ଓ ଓଝା ସେବକମାନେ ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।


