
କେନ୍ଦ୍ରାପଡ଼ା : ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି।ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ। ଉଭୟଙ୍କୁ ଅବକାରୀ କମିଶନର ନିଲମ୍ବନ କରିଥିବା ଜଣାପଡିଛି ।ଏନେଇ ଅବକାରୀ DSP ବିପ୍ର ମଣ୍ଡଳଙ୍କ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ରାଜନଗର ବ୍ଲକ୍ ବାଲିସାହିପାଟଣା ପଞ୍ଚାୟତ ବାରଦିଆ ଗ୍ରାମ ଛକରେ ଚୋରାମଦ ବ୍ୟାପକ ପରିମାଣରେ ବିକ୍ରୟ ହେଉଥିବା ନେଇ ବିନୋଦ କୁମାର ଦାସ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏତଦ୍ବ୍ୟତୀତ ଅବକାରୀ ବିଭାଗକୁ ବିଭିନ୍ନ ସମୟରେ ଅଭିଯୋଗ କରିଛିନ୍ତ । ଏହି ଅଭିଯୋଗ କରିବା ବିନୋଦଙ୍କ ପାଇଁ ମହଙ୍ଗା ପଡ଼ିଥିଲା । ମେ’୨୮ ତାରିଖରେ ଅବକାରୀ ବିଭାଗର କର୍ମଚାରୀମାନେ ବାରଦିଆ ଗାଁ ଛକରେ ପହଞ୍ଚି ଚୋରାମଦ ବିକୁଥିବା ବ୍ୟବସାୟୀଙ୍କ ନିକଟରେ ପହଞ୍ଚିଥିଲେ । ସେମାନଙ୍କୁ ଦେଖି ଅଭିଯୋଗକାରୀ ବିନୋଦ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଏହା ଦେଖି ଅବକାରୀ ଅଧିକାରୀ ଉତ୍ତ୍ୟକ୍ତ ହୋଇ ବିନୋଦଙ୍କୁ ଗାଡ଼ିକୁ ଉଠାଇ ନେବାକୁ ତାଙ୍କ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସମସ୍ତଙ୍କ ଉପସ୍ଥିତିରେ ବିନେଦାଙ୍କ ମାଡ଼ ମରାଯିବା ପରେ ରାଜନଗର ଥାନାକୁ ଆଣିଥିଲେ । ଥାନାରେ ପ୍ରାୟ ୧୧ଘଣ୍ଟାରୁ ଅଧିକ ସମୟ ବିନୋଦକୁ ଅଟକ ରଖାଯାଇଥିଲା । ପୁଲିସ ଉପସ୍ଥିତରେ ବିନୋଦକୁ ଧମକ ଦିଆଯାଇ ଏକ ସାଦା କାଗଜରେ ଦସ୍ତଖତ ନେଇ ଥାନାରୁ ଛାଡିଥିଲେ ବୋଲି ବିନୋଦ କହିଛନ୍ତି । ଅନ୍ୟପକ୍ଷରେ ବିନୋଦ ଅସୁସ୍ଥ ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଥିଲେ । ଏସଂପର୍କରେ କେନ୍ଦ୍ରପଡ଼ା ଅବକାରୀ ବିଭାଗର ଡିଏସପି ବିପ୍ର ମଣ୍ଡଳଙ୍କ ଅଭିଯୋଗ କରାଯାଇଥିଲା। ପରେ ଏହି ଘଟଣାର ତଦନ୍ତ ପରେ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକଙ୍ ବଦଳି କରିଥିଲେ ଅବକାରୀ ଡିଏସ୍ପି।


