
ରାଜନଗର: ଆଜିଠୁ କେନ୍ଦ୍ରାପଡ଼ା ରାଜନଗର ବନଖଣ୍ଡ ଅଧୀନସ୍ଥ ଭିତରକନିକା ଜାତୀୟ ଉଦ୍ୟାନ ଓ ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୫ ତାରିଖ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ । ଏଥିପାଇଁ ବନ ବିଭାଗ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଛି । ମଠଆଡ଼ିଆ, ଦୁର୍ଗାପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆଠାରେ ଏହି ଗଣନା କରାଯିବ ।
ମଠଆଡ଼ିଆଠାରେ ୩ଟି ଟିମ୍ ନିୟୋଜିତ କରାଯାଇଥିବା ବେଳେ ଦୁର୍ଗାପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆଠାରେ ଗୋଟିଏ ଟିମ୍ ନିୟୋଜିତ ହୋଇଛି । ପ୍ରତି ଟିମ୍ ୫ ଜଣ ଲେଖାଏଁ କର୍ମଚାରୀ ରହିଛନ୍ତି । ଦେଶୀୟ ପକ୍ଷୀ ଗଣନା ବେଳେ ମୁଖ୍ୟତଃ ୧୦ ପ୍ରଜାତିର ପକ୍ଷୀ ଯଥା-ଗେଣ୍ଡାଳିଆ, ଦାଆବେଣ୍ଟିଆ, ଅଞ୍ଜନା, ଖଇରା, ପାଣି କୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କାପରଖାଇ, ଅନ୍ଧାରିଆ ବଗଙ୍କୁ ଗୁରୁତ୍ୱ ଦିଆଯାଇଥାଏ ।
ସୂଚନାଯୋଗ୍ୟ, ବର୍ଷାଋତୁ ଆରମ୍ଭରେ ଦେଶର ବିଭିନ୍ନ ସ୍ଥାନରୁ ପକ୍ଷୀମାନେ ଭିତରକନିକାକୁ ଆସିଥାନ୍ତି । ୨୦୨୦ରେ ୯୭ ହଜାର ୮୬୬, ୨୦୨୧ରେ ୧ ଲକ୍ଷ ୮ ହଜାର ୬୩୯, ୨୦୨୨ରେ ୧ ଲକ୍ଷ ୧୬ ହଜାର ୭୦, ୨୦୨୩ରେ ୧ ଲକ୍ଷ ୨୩ ହଜାର ୮୬୭, ୨୦୨୪ରେ ୧ ଲକ୍ଷ ୩୦ ହଜାର ୧୨୩ ଓ ୨୦୨୫ରେ ୧ ଲକ୍ଷ ୩୦ ହଜାର ୭୯୬ ଦେଶୀୟ ପକ୍ଷୀ ଭିତରକନିକା ଆସିଥିଲେ ।




