
କଟକ: ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଏହି ଯୋଜନାରେ ସ୍କୁଲରେ ମଧ୍ୟାହ୍ନ ଭୋଜନର ସୁବିଧା ପାଉଥିଲେ । କଟକ ରାଣୀହାଟ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପୂର୍ତ୍ତୀ ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ସେପଟେ ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ‘ଐତିହ ବିଦ୍ୟାଳୟ’ ମାନ୍ୟତା ପ୍ରଦାନ କରିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମଙ୍ଗଳବାର ରାଣୀହାଟ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟକୁ ୧୦୦ ବର୍ଷ ପୂର୍ତ୍ତୀ ଉତ୍ସବ ଅବସରରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାରମ୍ଭିକ ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ୬ କୋଟି ଟଙ୍କା ସ୍କୁଲର ବିକାଶରେ ଖର୍ଚ୍ଚ କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ସ୍କୁଲର ‘ଡିପିଆର’ ପ୍ରସ୍ତୁତ ହେବା ପରେ ସ୍କୁଲକୁ ଆହୁରି ସମ୍ପ୍ରସାରଣ ଓ ଶୈଖିକ ବାତାବରଣ ଭାବରେ ନିର୍ମାଣ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ସହାୟତା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ କହିଛନ୍ତି,”ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ।ଏନେଇ ଆମ ସରକାର କ୍ୟାବିନେଟରେ ନିଷ୍ପତି ଚୁଡ଼ାନ୍ତ ହୋଇଛି ।ଏହାବ୍ୟତୀତ ମାଧ ସିଂ ଛାତ୍ରବୃତ୍ତି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ପୁରାତନ ଓ ଶହେ ବର୍ଷର ବିଦ୍ୟାଳୟ ହୋଇଥିବାରୁ ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଖୁବଶୀଘ୍ର ଦିଆଯିବ ।ଏହି ବିଦ୍ୟାଳୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ କୋଟି ଟଙ୍କା ସହାୟତା ରାଶି ଘୋଷଣା କରୁଛି ।”




