
ଭୁବନେଶ୍ୱର: ଆଜି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ପଞ୍ଚମ ମାଣ୍ଡିଆ ଦିବସ ପାଳନ ହେବ । ଏହି ସମାରୋହ ଦୁଇଦିନ ଧରି ଭୁବନେଶ୍ୱରରେ ଚାଲିବ । ଏହି ଅବସରରେ “ଶ୍ରୀ ଅନ୍ନ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢୀକରଣ’ ଶୀର୍ଷକ ଏକ ସମ୍ମିଳନୀ ଆୟୋଜିତ ହେବ ।
ଚଳିତ ବର୍ଷ “ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା’କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ଜଳବାୟୁ ସହନଶୀଳ କୃଷି ଓ ପୁଷ୍ଟିଶସ୍ୟ ବା ଶ୍ରୀ ଅନ୍ନ ଚାଷ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱକୁ ପ୍ରତିଫଳିତ କରିବ । ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶର ପ୍ରମୁଖ ଅନୁଷ୍ଠାନଗୁଡ଼ିକର ସହଯୋଗରେ ୫ଟି ବୈଷୟିକ ଅଧିବେଶନ ହେବ ।
ପ୍ରଥମ ଦିନରେ ଏମ୍ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ “କୃଷି ଜୈବବିବିଧତା ସଂରକ୍ଷଣ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ ଅଧିବେଶନ ଓ ଦ୍ୱିତୀୟ ଦିନରେ ଆଇସିଏଆର-ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ “ଓଡ଼ିଶାର ପୁଷ୍ଟିଶସ୍ୟଭିତ୍ତିକ ଅର୍ଥନୀତି: ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗୀକରଣ’ ଶୀର୍ଷକ ଅଧିବେଶନ ହେବ । ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ମହିଳା ବିହନ ସଂରକ୍ଷକମାନଙ୍କ ଦ୍ୱାରା ପରିଚାଳିତ କୃଷି ଜୈବବିବିଧତା ଓ ଗୋଷ୍ଠୀଭିତ୍ତିକ ବିହନ ବ୍ୟାଙ୍କ ପ୍ରଦର୍ଶନ କରାଯିବ ।





