
ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ । ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ପୁରୀ ସମୁଦ୍ରକୂଳରେ ହୋଟେଲ୍ ପୁରୀ ସମ୍ମୁଖ ବେଳାଭୂମିରେ ଏହି ଅଘଟଣ ଘଟିଛି । ଘଟଣାରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ମାନେ ହେଲେ ଚୂତରା ରାମ(୨୩) ଓ ପଦ୍ମା ରାମ(୨୨)।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ତୁରନ୍ତ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପୁରୀ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।
ରାଜସ୍ଥାନରୁ ଆସିଥିବା ୯ ଜଣ ପର୍ଯ୍ୟଟକ ଏହି ବେଳାଭୂମିରେ ଗାଧୋଉଥିଲେ । ଏହି ସମୟରେ ଉଚ୍ଚ ଜୁଆର (High Tide) ଯୋଗୁଁ ସେମାନଙ୍କ ମଧ୍ୟରୁ ୫ ଜଣ ସମୁଦ୍ରରେ ବୁଡ଼ିଯାଇଥିଲେ।ଘଟଣା ପୂର୍ବରୁ ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଏବଂ ଉଚ୍ଚ ଜୁଆର ସମୟରେ ସତର୍କ ରହିବାକୁ ସଚେତନ କରିଥିଲେ। ମାତ୍ର ସେମାନେ ଏହି ସତର୍କ ସୂଚନାକୁ ଅବମାନନା କରି ସମୁଦ୍ରରେ ଗାଧୋଉଥିଲେ।
ଉଚ୍ଚ ଜୁଆର ସମୟରେ ସମୁଦ୍ରରେ ଗାଧୋଇବାକୁ ନ ଯିବା ପାଇଁ ପୁରୀ ପୁଲିସ ପକ୍ଷରୁ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି । ସେହିପରି ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡଙ୍କ ପରାମର୍ଶ ଓ ସତର୍କ ସୂଚନାକୁ ଅବଶ୍ୟ ପାଳନ କରିବାକୁ ପୋଲିସ କହିଛି । ନିଜର ତଥା ପରିବାରବର୍ଗଙ୍କ ସୁରକ୍ଷା ପ୍ରତି ସଚେତନ ରହିବା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି ।





