
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ପରିଷଦ ବୈଠକ ପରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀ ମଣ୍ଡଳ ବୈଠକ । ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ସେହିପରି ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।
ନଗର ଯୋଜନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଟାଉନ ପ୍ଲାନିଂ ସର୍ଭିସ୍ ଗ୍ରୁପ୍-ଏ ନିଯୁକ୍ତି ନିୟମ, ୨୦୧୮ରେ ସଂଶୋଧନ ପ୍ରସ୍ତାବ ଆଣିଛନ୍ତି । ଏହା ଦ୍ୱାରା ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟରେ ୧୯ଟି ସହାୟକ ଟାଉନ ପ୍ଲାନର ପଦବୀ ଓପିଏସସି ମାଧ୍ୟମରେ ସିଧାସଳଖ ପୂରଣ କରାଯିବ । ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ନିଯୁକ୍ତି ପାଇଁ ବୟସ ସୀମା ୨୧ରୁ ୪୨ ବର୍ଷ ରଖାଯାଇଛି । ଏଥିସହ ଟାଉନ ପ୍ଲାନିଂରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ଅଥବା ଇନଷ୍ଟିଚ୍ୟୁଟ୍ ଅଫ୍ ଟାଉନ ପ୍ଲାନର୍ସ ଇଣ୍ଡିଆର ଆସୋସିଏଟ୍ ସଦସ୍ୟତାକୁ ଶିକ୍ଷାଗତ ଯୋଗ୍ୟତା ଭାବେ ଗ୍ରହଣ କରାଯିବ । ନିଯୁକ୍ତି ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରକ୍ରିୟା ନିୟନ୍ତ୍ରଣ ପାଇଁ ଓପିଏସସିକୁ କ୍ଷମତା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟରେ ସୁଚିନ୍ତିତ ସହରୀକରଣ ଓ ନଗର ଯୋଜନା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ।





