
ଲକ୍ଷ୍ନୌ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଏଆଇଏମଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଓ ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକାଠି ହୋଇ ନୂଆ ରାଜନୈତିକ ମେଣ୍ଟ ଗଠନ କରିଛନ୍ତି। ଏହି ମେଣ୍ଟର ନାଁ ରଖାଯାଇଛି ‘ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା’। ଆଗାମୀ ନିର୍ବାଚନରେ ରାଜ୍ୟର ସମସ୍ତ ୪୦୩ଟି ଆସନରେ ମେଣ୍ଟ ପ୍ରାର୍ଥୀ ଦେବ ବୋଲି ଉଭୟ ନେତା ଘୋଷଣା କରିଛନ୍ତି।
ଲକ୍ଷ୍ନୌରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ସମ୍ପର୍କରେ ଘୋଷଣା କରିଥିଲେ ଓୱେସୀ ଓ ଚନ୍ଦ୍ରଶେଖର। ଏହି ମେଣ୍ଟରେ ଚନ୍ଦ୍ରଶେଖର ଆଜାଦ ମୁଖ୍ୟମନ୍ତ୍ରୀ ଚେହେରା ହେବେ। ସେ ବର୍ତ୍ତମାନ ଲୋକସଭା ସାଂସଦ ଥିବା ସତ୍ତ୍ୱେ ତାଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ରଖାଯାଇଛି।ଦଳିତ, ସଂଖ୍ୟାଲଘୁ, ଯୁବଗୋଷ୍ଠୀ, ଚାଷୀ ଏବଂ ସମାଜର ବଞ୍ଚିତ ବର୍ଗଙ୍କ ଅଧିକାର ଓ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଏହି ମେଣ୍ଟ କାର୍ଯ୍ୟ କରିବ ବୋଲି ଦୁଇ ନେତା କହିଛନ୍ତି। ଏହା କେବଳ ତୃତୀୟ ରାଜନୈତିକ ସାମ୍ମୁଖ୍ୟ ନୁହେଁ, ବରଂ ସାମାଜିକ ପରିବର୍ତ୍ତନର ଏକ ନୂଆ ମଞ୍ଚ ହେବ ବୋଲି ଚନ୍ଦ୍ରଶେଖର ମତ ରଖିଛନ୍ତି।
ଉତ୍ତର ପ୍ରଦେଶରେ ବର୍ତ୍ତମାନ ବିଜେପି କ୍ଷମତାରେ ରହିଛି। ଆଗାମୀ ନିର୍ବାଚନରେ ପୁଣି କ୍ଷମତାକୁ ଫେରିବାକୁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀ ଶିବିରରେ ମଧ୍ୟ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି। କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଓୱେସୀ ଓ ଚନ୍ଦ୍ରଶେଖରଙ୍କ ନୂଆ ମେଣ୍ଟ ରାଜ୍ୟ ରାଜନୀତିକୁ ଆହୁରି ରୋଚକ କରିଛି।
ସୂଚନା ଅନୁସାରେ, ଚନ୍ଦ୍ରଶେଖରଙ୍କ ସହ ମେଣ୍ଟ ଘୋଷଣା କରିବା ପୂର୍ବରୁ ଓୱେସୀ କଂଗ୍ରେସ ଓ ସମାଜବାଦୀ ପାର୍ଟି ସହ ମେଣ୍ଟ ପାଇଁ ଉଦ୍ୟମ କରିଥିଲେ। ଏପରିକି ସିଟ୍ ବଣ୍ଟନ ନେଇ ଆଲୋଚନା ପାଇଁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। କିନ୍ତୁ ଉଭୟ ଦଳ ପକ୍ଷରୁ ମେଣ୍ଟ ସପକ୍ଷରେ ସ୍ପଷ୍ଟ ସଙ୍କେତ ନ ମିଳିବାରୁ ସେ ବିକଳ୍ପ ରାଜନୈତିକ ରାସ୍ତା ବାଛିଥିବା କୁହାଯାଉଛି।





