
ଭଦ୍ରକ: ଗୁରୁବାର ରାତି ପ୍ରାୟ ସାଢେ 12ଟା ବେଳେ ଭଦ୍ରକ ଜିଲ୍ଲା ଧାମରାରୁ ବାସୁଦେବପୁର ଯାଇଥିବା ରାସ୍ତାର ବିରସ ହାଇସ୍କୁଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୁରୀରୁ ଭଦ୍ରକ ତଦନ୍ତ ଉଦ୍ଦେଶ୍ୟରେ ଆସିଥିବା ପୋଲିସ ଭ୍ୟାନ ସହ ଲୁହା ବୋଝେଇ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏଥିରେ 2 ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ 2 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 2 ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପୋଲିସ ଏକ ଚୋରି ହୋଇଥିବା ମୋବାଇଲକୁ ଟ୍ରାକିଂ କରି ନାୟକାଣିଡିହି ଥାନା ଅଞ୍ଚଳକୁ ପୋଲିସ ଭ୍ୟାନରେ ଆସିଥିଲେ । ଯେଉଁଥିରେ 4 ଜଣ ପୋଲିସ ଥିଲେ । ତେବେ କାର୍ଯ୍ୟ ସାରି ବାସୁଦେବପୁର ଅଭିମୁଖେ ଆସୁଥିବା ବେଳେ ଧାମରା ଅଭିମୁଖେ ଯାଉଥିବା ଲୁହା ବୋଝେଇ ଟ୍ରଲର ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ପୋଲିସ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ କନେଷ୍ଟବଳ ପ୍ରଶାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା । ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟଲୋକେ ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ।
ଆମ୍ବୁଲାନ୍ସ ଯୋଗେ 3 ଗୁରୁତର ପୋଲିସଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ 3 ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଆହୁରି ଅବସ୍ଥା ବିଗିଡିପାରୁ 3 ଜଣଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକ ଯିବା ରାସ୍ତାରେ ଆଉ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । 2 ଗୁରୁତରଙ୍କୁ ବର୍ତ୍ତମାନ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।





