
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକସ୍ଥିତ ଆଶ୍ରୟ ଇଂଲିଶ ମିଡିୟମ ସ୍କୁଲ ପକ୍ଷରୁ ଶୁକ୍ରବାର ଶିଶୁ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିବାବେଳେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଭାଗନେଇ ଦିବସଟିକୁ ସ୍ମରଣୀୟ କରିଥିଲେ।
ପ୍ରାରମ୍ଭରେ ଶିକ୍ଷକ ସନ୍ତୋଷ ଡାକୁଆ ଅତିଥି ଓ ଉପସ୍ଥିତ ଅଭିଭାବକମାନଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସୁରଜ କୁମାର ନାୟକ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଶିଶୁ ଦିବସ ପାଳନର ମହତ୍ତ୍ୱ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ତଥା ଶିଶୁମାନଙ୍କ ପ୍ରତି ତାଙ୍କର ସ୍ନେହ ଓ ଭଲପାଇବା ସମ୍ପର୍କରେ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ କମିଟି ସଭାପତି ସନ୍ତୋଷ ଦିଗାଲ ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ଶିକ୍ଷା ସହିତ ନୈତିକ ମୂଲ୍ୟବୋଧ ଓ ସୃଜନଶୀଳତାର ଉନ୍ନତି ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।କମିଟି ଉପସଭାପତି ପବିତ୍ର ମୋହନ ପ୍ରଧାନ, ଶିକ୍ଷକ ସମ୍ବିତ କୁମାର ନାୟକ, ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବାଗ ସିଂ ଓ ମାନସୀ ଦିଗାଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।
ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୁନି କୁନି ପିଲାଙ୍କ ଆକର୍ଷଣୀୟ ନୃତ୍ୟ ଓ ମନମୁଗ୍ଧକର ସଙ୍ଗୀତ ପରିବେଷଣ ଉପସ୍ଥିତ ସମସ୍ତଙ୍କ ମନ ମୋହିଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲା।ଶେଷରେ ଶିକ୍ଷୟିତ୍ରୀ ମାନସୀ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ
ରିପୋର୍ଟ: ଦୁତି କୃଷ୍ଣ ପଣ୍ଡା






