ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ

ଛତ୍ରପୁର: ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଚଳିତ ମାସ ୧୮ ଓ ୧୯ ତାରିଖରେ ଜିଲ୍ଲା ପାଇଁ ସତର୍କ ସୂଚନା ରହିବା ସହ ବର୍ଷା ଓ ପବନର ସମ୍ଭାବନା ଥିବାରୁ ଏହାର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।ଏନେଇ ଶନିବାର ଛତ୍ରପୁରଠାରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଗୁରୁତ୍ୱର ସହ ନେଇ ସମସ୍ତ ବିଭାଗ ନିଜ ନିଜ ଦାୟିତ୍ୱ ସମ୍ପାଦନରେ ତତ୍ପର ରହିବେ। ଗତ ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅଭିଜ୍ଞତାକୁ ଆଧାର କରି ଏଥର ମଧ୍ୟ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ତୁରନ୍ତ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ, ଶୌଚାଳୟ ଆଦି ଆବଶ୍ୟକ ସୁବିଧାର ଯାଞ୍ଚ କରିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ କୁହାଯାଇଛି।

ସମୁଦ୍ରରେ ମାଛ ଧରୁଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧୬ ତାରିଖ ସୁଦ୍ଧା ଫେରାଇ ଆଣିବା ସହ ନୂଆ କରି କେହି ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟ ବିଭାଗ ଆବଶ୍ୟକ ପଦକ୍ଷେପ ନେବ। ଆସନ୍ତାକାଲିଠାରୁ ସମସ୍ତ ବ୍ଲକରେ ମାଇକ୍‌ ଯୋଗେ ଜନସଚେତନତା ସୃଷ୍ଟି କରାଯିବ। ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଲୋକଙ୍କ ସହ ବିଡିଓମାନେ ସମନ୍ୱୟ ରଖିବେ।

ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ସହ ଗୃହପାଳିତ ପଶୁଙ୍କ ସୁରକ୍ଷା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଗର୍ଭବତୀ ମହିଳାଙ୍କୁ ଆଗୁଆ ସ୍ଥାନାନ୍ତର ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସମନ୍ୱୟ ରଖିବେ। ଗୃହପାଳିତ ପଶୁଙ୍କ ସୁରକ୍ଷିତ ରହଣି ପାଇଁ ପଶୁ ସମ୍ପଦ ବିଭାଗ ପଦକ୍ଷେପ ନେବ। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ନିରୋଧୀ ଇଞ୍ଜେକ୍ସନ ସହ ଆବଶ୍ୟକ ଔଷଧ ମହଜୁଦ ରଖାଯିବ।

ପାନୀୟ ଜଳ ଯୋଗାଣ ଯେପରି ବ୍ୟାହତ ନହୁଏ, ସେଥିପାଇଁ ଆରଡବ୍ଲ୍ୟୁଏସ୍‌ଏସ୍‌ ଓ ୱାଟ୍‌କୋ ପକ୍ଷରୁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବା ସହ ପାଇପ୍‌ଲାଇନ୍‌ ଯାଞ୍ଚ ଓ ଆବଶ୍ୟକ ମରାମତି କରାଯିବ। ଖାଦ୍ୟ ଯୋଗାଣ ବିଭାଗ ଚୁଡ଼ା, ଗୁଡ଼, ବିସ୍କୁଟ ଓ ପାଣି ବୋତଲ ଆଦି ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବ। ବିଦ୍ୟୁତ୍‌, ଅଗ୍ନିଶମ, ଟେଲିଯୋଗାଯୋଗ, ରାସ୍ତା ଓ କୋଠାବାଡ଼ି, ଜଳସମ୍ପଦ ଏବଂ ଜଳସେଚନ ବିଭାଗକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି। ବିଶେଷକରି ଖରଖରୀ ନାଳ ସମେତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନଜର ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ସମ୍ଭାବ୍ୟ ବର୍ଷା ପୂର୍ବରୁ ପାଚିଲା ଫସଲ ଅମଳ କରିନେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି। ଫସଲ ସୁରକ୍ଷା ଓ ଜଳ ନିଷ୍କାସନ ପାଇଁ କୃଷି ଓ ଜଳସେଚନ ବିଭାଗ ସମନ୍ୱୟ ରଖିବେ। ରେଡ୍‌ ୱାର୍ଣ୍ଣିଂ ଜାରି ହେଲେ ବିଡିଓମାନେ ପ୍ରତିଦିନ ସକାଳ ୯ଟା ଓ ସନ୍ଧ୍ୟା ୭ଟାରେ ନିଜ ଅଞ୍ଚଳର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ। ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯିବ। କୌଣସି ଅଧିକାରୀ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ, ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଯୋଗୁଁ ଜିଲ୍ଲାରେ ପ୍ରଭାବିତ ପ୍ରାୟ ୮୦ ହଜାର ହେକ୍ଟର ଚାଷଜମି ପାଇଁ ଇନ୍‌ପୁଟ୍‌ ସହାୟତା ଓ ଫସଲ ବୀମା ପ୍ରକ୍ରିୟା ଜାରି ରହିଛି। ପ୍ରଭାବିତ ପରିବାରଗୁଡ଼ିକୁ ୫୦ କିଲୋଗ୍ରାମ ଚାଉଳ ଓ ୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି। କେତେକ ଅଞ୍ଚଳର ଚାଷୀମାନେ ଇତିମଧ୍ୟରେ ଇନ୍‌ପୁଟ୍‌ ସହାୟତା ପାଇସାରିଛନ୍ତି।

ଅର୍ଣ୍ଣବ ବାତ୍ୟାଜନିତ କ୍ଷୟକ୍ଷତି ପରେ ଚାଲିଥିବା ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରବିବାର ଜିଲ୍ଲାରେ ଛୁଟି ବାତିଲ କରାଯାଇଛି। ଆସନ୍ତା ସୋମବାର ହେବାକୁ ଥିବା ଜନଶୁଣାଣି ମଧ୍ୟ ବାତିଲ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଜନସାଧାରଣ ଆତଙ୍କିତ ନହୋଇ ପ୍ରଶାସନର ସତର୍କ ସୂଚନା ଓ ନିର୍ଦ୍ଦେଶ ପାଳନ କରିବା ସହ ଆବଶ୍ୟକ ସ୍ଥଳେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ବୈଠକରେ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଦାୟିତ୍ୱ ସମ୍ପର୍କରେ ଅବଗତ କରିଥିଲେ।

  • Related Posts

    ‘ଅକଭାନ୍’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ

    ଭୁବନେଶ୍ୱର: ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ । ବାତ୍ୟା ପାଇଁ ୩ଟି ସମ୍ଭାବ୍ୟ ଗତିପଥ, ତାମିଲନାଡୁ-ଆନ୍ଧ୍ର, ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଓ ମିଆଁମାର ଉପକୂଳକୁ ନେଇ ଆକଳନ । ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ୍ ’ର ଗତିପଥକୁ…

    Continue reading
    ବାତ୍ୟା ପ୍ରଭାବ: ୧୮ରୁ ୨୦ ଯାଏଁ ଛେଚିବ ବର୍ଷା!

    ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା ବର୍ଷା ପବନ ହୋଇପାରେ। ୧୮, ୧୯ ଏବଂ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !