
କଳାହାଣ୍ଡି: ନିକଟରେ ଓଡ଼ିଶା ରାଜସ୍ୱ ସେବା (ଓଆରଏସ) ଜଣେ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଲାଞ୍ଚୁଆ ଅଫିସରଙ୍କ ଉପରେ ଏହାର କାଣିଚାଏ ପ୍ରଭାବ ପଡ଼ିନଥିବା ମନେ ହେଉଛି। କାରଣ ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ। ତାଙ୍କ ନାଁ ଚନ୍ଦନ କୁମାର ନାୟକ। ସେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ ତହସିଲଦାର ଭାବେ ନିଯୁକ୍ତ ହୋଇଛନ୍ତି। ଜମି ଚିହ୍ନଟ କରାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହା ପରେ ତହସିଲଦାର ଶ୍ରୀ ନାୟକଙ୍କ ସରକାରୀ କାର୍ଯ୍ୟାଳୟ ସମେତ ସରକାରୀ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସର ତଦନ୍ତ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।






