
ବଲାଙ୍ଗିର:ଅନ୍ଲାଇନ୍ରେ ସମ୍ବଲପୁରୀ ଶାଢ଼ି ଏବଂ ଘରକରଣା ସାମଗ୍ରୀ ବିକ୍ରି ପାଇଁ ଅଭିଯୁକ୍ତ ଖୋଲିଥିଲେ ‘ସମ୍ବଲପୁରୀ ଶାଢ଼ି ସେଲର’ ନାମକ ଏକ ପ୍ଲାଟଫର୍ମ । ଏହା ମାଧ୍ୟମରେ ପାର୍ସଲରେ ଗଞ୍ଜେଇ ପଠାଉଥିଲେ । ସିଣ୍ଡିକେଟ୍ ଚେର କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଆରମ୍ଭ ହୋଇ ଦିଲ୍ଲୀ ଗାଜିଆବାଦ ପର୍ଯ୍ୟନ୍ତ ଲମ୍ବିଛି ଯେଉଁଥିରେ ବଲାଙ୍ଗିର ଥିଲା ଟ୍ରାନ୍ଜିଟ୍ ହବ୍ । ଏହି ମାମଲାରେ ପୁଲିସ୍ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୧୩ କେଜି ଗଞ୍ଜେଇ ଓ ଦୁଇଟି କାର ଜବତ କରିଛି । ପାର୍ସଲ ଯାଞ୍ଚ ବ୍ୟବସ୍ଥାରେ ଥିବା ସମସ୍ୟା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ଗଞ୍ଜେଇ ଚାଲାଣ ହେଉଛି । ଏହାକୁ ରୋକିବାକୁ ସମ୍ପୃକ୍ତ ଇ-କମର୍ସ ପ୍ଲାଟ୍ଫର୍ମର ରାଜ୍ୟ ମୁଖ୍ୟଙ୍କୁ ତାଗିଦ୍ କରାଯାଇଥିବା ଏସ୍ପି ଅଭିଳାଷ ଜି କହିଛନ୍ତି ।
ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ବିଶ୍ୱ ବଜାରରେ ନିଜ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ଦେଉଛି । କୌଣସି ବ୍ୟବସାୟୀ ସେଠାରେ ନିଜ ଆକାଉଣ୍ଟ ଖୋଲି ସାମଗ୍ରୀ ବିକ୍ରି କରିପାରିବ । ଏହାକୁ ନିଶା ଚାଲାଣର ସୁରକ୍ଷିତ ବାଟ କରିଥିଲେ ମାଫିଆ । ଏଭଳି ଅନ୍ଲାଇନ୍ ନିଶା କାରବାର ସମ୍ପର୍କରେ ପୁଲିସକୁ ଖବର ମିଳିଥିଲା । ହେଲେ ସବୁ ଅର୍ଡର ଅନ୍ଲାଇନ ଏବଂ ଇ-କମର୍ସରେ ଚାଲୁଥିବାରୁ ଚିହ୍ନଟ ସହଜ ନ ଥିଲା । ଗୁଇନ୍ଦା ସୂଚନା ଆଧାରରେ ପୁଲିସ୍ ସମ୍ପୃକ୍ତ ସମ୍ବଲପୁରୀ ଶାଢ଼ି ନାମକ ଇ-କମର୍ସ ପ୍ଲାଟଫର୍ମ କମ୍ପାନିକୁ ସ୍କାନରକୁ ନେଇଥିଲା। ତାହାର ସମସ୍ତ ପରିଚାଳନା ଟିମ, ଅର୍ଡର, ଡେଲିଭରି ନେଟୱର୍କ, ସାମଗ୍ରୀ ତଥ୍ୟ ଏବଂ ସମସ୍ତ ଦେଣନେଣ ଯାଞ୍ଚ ପରେ ସତ୍ୟ ପଦାକୁ ଆସିଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ନିଶା କାରବାରର ଗୁମର ଖୋଲିଥିଲା । ସେମାନେ ସ୍ୱତନ୍ତ୍ର ବାରକୋଡ୍ ପ୍ରସ୍ତୁତ କରି ଗଞ୍ଜେଇ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା ।
ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ମ.ରାମପୁର ଥାନା ଅଞ୍ଚଳର ଚନ୍ଦ୍ରକାନ୍ତ ତାଣ୍ଡି, ବିମଳ ତାଣ୍ଡି, ଜଗତରାମ ତାଣ୍ଡି, ଛବିଲାଲ ଧରୁଆ, ତାରାଚାନ୍ଦ ତାଣ୍ଡି, ରତ୍ନ ଭୋଇ ଏବଂ ତୁଷୁରା ଥାନା ମାଧପୁର ଗାଁର ପ୍ରଦୀପ ସୁନାକୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ୧୦ଟି ପ୍ୟାକେଟରେ ଥିବା ୧୧୦ କେଜି ଗଞ୍ଜେଇ ଏବଂ ଦୁଇଟି କାର ଜବତ କରାଯାଇଛି । ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣିବା ସହ ମ.ରାମପୁରସ୍ଥିତ ଜଙ୍ଗଲ ଭିତରେ ପ୍ୟାକିଂ କରୁଥିଲେ । ସେଥିରେ ଅନଲାଇନ ଜେନେରେଟଡ୍ ଲୋଗୋ ଏବଂ ସ୍କାନର ଲଗାଇ ବଲାଙ୍ଗିର ଆଣୁଥିଲେ । ବଲାଙ୍ଗିରସ୍ଥିତ ଇ-ପ୍ଲାଟଫର୍ମ କମ୍ପାନି ଟ୍ରାଞ୍ଜିଟ୍ ପଏଣ୍ଟରୁ ଦିଲ୍ଲୀ ପହଞ୍ଚାଉଥିଲେ । ଦିଲ୍ଲୀରେ ବସି ଗଞ୍ଜେଇ ଅର୍ଡର କରୁଥିବା ମାଫିଆମାନେ ଏହାକୁ ସହଜରେ ପାଇ ଯାଉଥିଲେ । ପୂର୍ବରୁ ପ୍ରାୟ ୪ଥର ଏଭଳି ଅର୍ଡର ଯାଇଥିବା ପୁଲିସ୍ କହିଛି । ତଦନ୍ତ ବେଳେ ପୁଲିସ୍ ଅନଲାଇନ କମ୍ପାନିର ରାଜ୍ୟ ମୁଖ୍ୟଙ୍କ ସହ ଆଲୋଚନା କରି ଏହାର ଯାଞ୍ଚ ସ୍ଥିତିକୁ କଡ଼ାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସମେତ ସଦର ଏସଡିପିଓ, ଟାଉନଥାନା ଅଧିକାରୀ, ଲକ୍ଷ୍ମୀଯୋର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ପାର୍ସଲ ବୋମା ପାଇଁ ଚର୍ଚ୍ଚିତ ଥିଲା ବଲାଙ୍ଗିର । ଏବେ କୋରିୟରରେ ଗଞ୍ଜେଇ ଚାଲାଣ ଆଲୋଚନାର ପ୍ରସଙ୍ଗ ପାଲଟିଛି ।




