
ପୁରୀ: ଆଜି ଶ୍ରୀମନ୍ଦିରରେ ଚକ୍ରବୁଲା ତଥା ଚକ୍ରନାରାୟଣ ଏକାଦଶୀ ନୀତି ଅନୁଷ୍ଠିତ ହେବ । ପ୍ରଭୁ ଚକ୍ରନାରାୟଣ ବିମାନରେ ଅଧିଷ୍ଠିତ ହୋଇ ନଗର ପରିକ୍ରମା କରିବେ । ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଏହି ନୀତି ସମ୍ପନ୍ନ ହୋଇଥାଏ । ତେବେ ଏକାଦଶୀ ତିଥି ଥିବାରୁ ବଡ଼ଦେଉଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ଆଗ କାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେ ପଡ଼ି ଲୋକେ ଡହଳବିକଳ ହେଉଥିଲେ । ସାହି ସାହିରେ ମୃତ୍ୟୁ ତାଣ୍ଡବ ରଚୁଥିଲା ମହାମାରୀ । ଏଭଳି ସ୍ଥିତିରେ ମହାପ୍ରଭୁ ତାଙ୍କ ଆୟୁଧ ଚକ୍ରନାରାୟଣଙ୍କୁ ପଠାଇ ନଗରବାସୀଙ୍କୁ ଅଭୟ ପ୍ରଦାନ କରିଥାନ୍ତି । ଚକ୍ରନାରାୟଣଙ୍କ ବିଜେ ଦ୍ୱାରା ଦୁଷ୍ଟ ଶକ୍ତି ନାଶ ଯାଉଥିବା ବିଶ୍ୱାସ ରହିଛି । ଏହି ଅବସରରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଚାରି ଆଶ୍ରମରେ ଠାକୁରେ ବିଜେ ହୋଇ ସ୍ୱତନ୍ତ୍ର ନୀତି ପାଳିତ ହୋଇଥାଏ । ଏହି ବିଧି କାହିଁ କେଉଁ କାଳରୁ ଶ୍ରୀମନ୍ଦିରରେ ପ୍ରଚଳିତ । ରଥଯାତ୍ରା ପରେ ଠାକୁରଙ୍କ ଏହା ହେଉଛି ପ୍ରଥମ ବାହାର ବିଜେ ।




