କ୍ୟାବିନେଟ : ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୩୭ ତମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । କ୍ୟାବିନେଟରେ ୧୯ଟି ପ୍ରସ୍ତାବ ଆଗତ ହୋଇଥିଲା । ସେଥିରୁ ୧୩ଟି ବିଭାଗର ୧୬ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ସପ୍ତଦଶ ବିଧାନସଭାର ୬ଷ୍ଠ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ପାରିତ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ ଏସଟିଏସସି ବିଭାଗର ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିଷ୍ପତ୍ତି ବାବଦରେ ବିବୃତ୍ତି ଦେଇଥିବା ବେଳେ ଅନ୍ୟ ସମସ୍ତ ୧୪ଟି ପ୍ରସ୍ତାବ ଉପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି,”ରାଜ୍ୟରେ ବୁଣାକାରଙ୍କ ସାମଗ୍ରିକ ଉନ୍ନତି ପାଇଁ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନା’ ଆରମ୍ଭ କରିବାକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଯୋଜନାରେ ୫ ବର୍ଷରେ ୫୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯୋଜନା ମାଧ୍ୟମରେ ହସ୍ତତନ୍ତର ସାମଗ୍ରିକ ବିକାଶ ସହ ବୁଣାକାରଙ୍କୁ ସବୁପ୍ରକାରର ଭିତ୍ତିଭୂମି ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।ସେହିପରି ଦୀର୍ଘ ୧୫ ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ବଡ଼ମ୍ବା ସମବାୟ ଚିନିକଳକୁ ଇଣ୍ଡିଆନ ପଟାସ ଲିମିଟେଡ ଦ୍ୱାରା ପୁନରୁଦ୍ଧାର କରାଯିବ । ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ସୁଧ ରିହାତି ଓ ଦୀର୍ଘମିଆଦି ଋଣ ଯୋଗାଇ ଦେବେ। ପ୍ରାୟ ୩୫୨କୋଟି ଟଙ୍କାରେ ଏହି ଚିନିକଳର ପୁନରୁଦ୍ଧାର ହେବ । ପ୍ରତ୍ୟେକ୍ଷ ଭାବେ ୫୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।”

୧୯୭୦ ମସିହା ମାର୍ଚ୍ଚ ୧୧ ତାରିଖରୁ ୧୯୯୮ ମସିହା ଏପ୍ରିଲ ୩୦ ତାରିଖ ମଧ୍ୟରେ ସରକାରଙ୍କ ଅନୁମୋଦନ ଓ ଲିଜ ଦାତାଙ୍କ ସମ୍ମତି କ୍ରମେ ଲିଜ ଜମି ହସ୍ତାନ୍ତର କରାଯାଇ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ତ୍ରିପାକ୍ଷିକ ଦଲିଲ ନିଷ୍ପାଦିତ ଏବଂ ପଞ୍ଜୀକରଣ କରାଯାଇଛି । ସେହି କ୍ଷେତ୍ରରେ ଲିଜ ହସ୍ଥାନ୍ତର ମାଧ୍ୟମରେ ଜମି ପ୍ରାପ୍ତ ବ୍ୟକ୍ତି ବା ସେମାନଙ୍କ ଉତ୍ତରାଧିକାରୀଙ୍କଠୁ ସମ୍ମତି ଶୁଳ୍କ ଆଦାୟ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାଧାରଣ ପ୍ରଶାସନ ବିଭାଗର ସମ୍ମତି କ୍ରମେ ଲିଜ ଜମି ହସ୍ତାନ୍ତର କରାଯାଇ ତ୍ରିପକ୍ଷୀୟ ଦଲିଲ ପଞ୍ଜୀକୃତ ହୋଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆଦେଶ ଅନୁଯାୟୀ ଉକ୍ତ ହସ୍ତାନ୍ତର ପାଇଁ ସଂଶୋଧ ହାର ଓ ବର୍ତ୍ତମାନର ‘Bench Mark Valuation’ରେ ସମ୍ମତି ଶୁଳ୍କ ଆଦାୟ କରାଯାଇଛି । ସେଗୁଡ଼ିକୁ ଉପଯୁକ୍ତ ଆର୍ଥିକ ପ୍ରକ୍ରିୟାକୁ ଅନୁସରଣ କରି ଫେରସ୍ତ କରାଯିବ ।

ବିଭିନ୍ନ ସମୟରେ ବନ୍ୟା, ଝଡ଼ ଏବଂ ଘୂର୍ଣ୍ଣିବଳୟର ସମ୍ମୁଖୀନ ହୁଏ ରାଜ୍ୟ । ଓଡିଶାର ପ୍ରାୟତଃ ୩୩,୪୦୦ ବର୍ଗ କି.ମି. ଅଞ୍ଚଳ ବନ୍ୟା ପ୍ରବଣ । କ୍ୟାବିନେଟ ‘ବ୍ୟାପକ ବନ୍ୟା ପରିଚାଳନା ଯୋଜନା’କୁ ଅନୁମୋଦନ ଦେଇଛି । ଯୋଜନା ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ନିଜସ୍ବ ସମ୍ବଳରୁ କାର୍ଯ୍ୟକାରୀ କରାଯିବ । ୫ ବର୍ଷ ପାଇଁ ୨୭୮୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଯୋଜନାରେ ତଟବନ୍ଧ ଉନ୍ନତି ଓ ସଶକ୍ତିକରଣ, ଲୁଣାବନ୍ଧ ସୁରକ୍ଷା, ପୁନରୁଦ୍ଧାର, ଉପକୂଳ କ୍ଷୟ ନିୟନ୍ତ୍ରଣ ଓ ଅଣ-ସଂରଚନାଗତ ପଦକ୍ଷେପ ଭାବେ ବନ୍ୟା ପୂର୍ବାନୁମାନ, ବନ୍ୟା ପ୍ରସ୍ତୁତି, ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ, ପ୍ରକ୍ରିୟାଗତ ସଂସ୍କାର ତଥା ଉଦ୍ଧାର କାର୍ଯ୍ୟ ସଂଯୋଜନାରେ ବନ୍ୟା ସମ୍ବନ୍ଧୀୟ କ୍ଷତିକୁ ହ୍ରାସ କରିବାକୁ ପରିକଳ୍ପନା କରାଯାଇଛି । ସେହିପରି ଜରୁରୀକାଳୀନ ପରିସ୍ଥିତିରେ ବନ୍ୟା ଦ୍ବାରା କ୍ଷୟକ୍ଷତିକୁ ହ୍ରାସ, ଧନଜୀବନ, ଗ୍ରାମ ଏବଂ କୃଷି ଜମିକୁ ସୁରକ୍ଷା, ସ୍ଥାୟୀ ବନ୍ୟା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ପ୍ରସ୍ତୁତି ବୃଦ୍ଧି ଯୋଜନାର ମୂଳ ଲକ୍ଷ୍ୟ ।

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସମ୍ବନ୍ଧୀୟ ବ୍ୟୟ ପାଇଁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସମ୍ବନ୍ଧରେ ଗତବର୍ଷ ଶେଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା 273.51 କୋଟି ବ୍ୟୟକୁ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ସମ୍ବନ୍ଧରେ ଭବିଷ୍ୟତରେ ସୃଷ୍ଟି ହେବାକୁ ସମ୍ଭାବ୍ୟ ଖର୍ଚ୍ଚ ସମ୍ପର୍କରେ ସୁପାରିଶ କରିବା ପାଇଁ ଗଠିତ Inter-Ministerial କମିଟିକୁ ଏହା ସମ୍ବନ୍ଧୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଷ୍ପତ୍ତି ପାଇଁ ସୁପାରିଶ କରିବାର ଅଧିକାର ଦିଆଯାଇଛି । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ବା DMRC ସହ ହୋଇଥ‌ିବା ଚୁକ୍ତିକୁ ସମାପ୍ତ କରାଯିବ । ସେହିପରି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ କଲେଜର ପୁନଃବିକାଶ ପାଇଁ ୯୩୦ କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।
ଲୋକଙ୍କୁ ଯଥାଶୀଘ୍ର ନ୍ୟାୟ ଦେବା ପାଇଁ ଓଡ଼ିଶା ସୁପିରିଅର ଜୁଡିସିଆଲ ସର୍ଭିସ ଏବଂ ଓଡ଼ିଶା ଜୁଡିସିଆଲ ସର୍ଭିସ ରୁଲ ୨୦୦୭କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ କ୍ୟାବିନେଟ ମୋହର ମାରିଛି । ନିୟମକୁ ପ୍ରଭାବୀ, ଅର୍ଥପୂର୍ଣ୍ଣ, ନିର୍ଦ୍ଧାରିତ ନିଯୁକ୍ତି ଅନୁପାତର ସଠିକ ପ୍ରୟୋଗ, ଖାଲି ପଦବୀକୁ ଠିକ ସମୟରେ ପୂରଣ ଏବଂ ସ୍ପଷ୍ଟ ରୋଷ୍ଟର ଆଧାରିତ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଯାହା ଦ୍ବାରା ପ୍ରଶାସନିକ ଦକ୍ଷତା ବୃଦ୍ଧି, ପୁନରାବୃତ୍ତି ବିବାଦ ଏବଂ ମକଦ୍ଦମାକୁ ଏଡାଇ ଦିଆଯିବ । ସେହିପରି ଦେୱାନୀ କୋର୍ଟର ଅଣ-ନ୍ୟାୟିକ କର୍ମଚାରୀ ସେବା ନିୟମ, ୨୦୦୮ ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।ବାଧ୍ୟତାମୂଳକ ତାଲିମ ବ୍ୟବସ୍ଥା ପ୍ରଦାନ କରିବା ଲକ୍ଷ୍ୟ ରହିଛି । ଫଳରେ ଅଣ-ନ୍ୟାୟିକ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି ଓ ମାମଲା ଗୁଡ଼ିକର ଶୀଘ୍ର ସମାଧାନ ପାଇଁ କୋର୍ଟକୁ ସହାୟତା କରିବେ । ଏହ ଦ୍ବାରା ଜନସାଧାରଣଙ୍କୁ ତ୍ଵରିତ ନ୍ୟାୟ ମିଳିପାରିବ ।

ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ ଅଧୀନରେ ମାଆ ଏବଂ ଶିଶୁଙ୍କ ପୁଷ୍ଟିସାଧନ ସ୍ଥିତିର ରିଅଲ-ଟାଇମ ମନିଟରିଂ ଓ ସେବା ପ୍ରଦାନର ପ୍ରଭାବଶାଳୀ ଟ୍ରାକିଂ କରିବା ପାଇଁ ଅଙ୍ଗନୱାଡି କର୍ମୀ, ମହିଳା ପରିଦର୍ଶୀକା ଏବଂ ବ୍ଲକ ସଂଯୋଜକ ପୋଷଣଙ୍କୁ ପ୍ରତି ୪ ବର୍ଷରେ ସ୍ମାର୍ଟଫୋନ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ବ୍ୟାବିନେଟ ପୋଷଣ ଅଭିଯାନ ଅଧାନରେ ୯୩.୧୩ କୋଟି ଟଙ୍କାର ଆର୍ଥିକ ବ୍ୟୟ ଅଟକଳରେ ୭୯,୦୩୩ଟି ସାମସଙ୍ଗ A06 ସ୍ମାର୍ଟଫୋନ କ୍ରୟ କରିବା ପାଇଁ ମଞ୍ଜୁରୀ ଦେଇଛି । ସେହିପରି ବଳକା ଚାଉଳର ପରିଚାଳନା ଓ ସମ୍ଭାବ୍ୟ ଆର୍ଥିକ କ୍ଷତିକୁ ହ୍ରାସ କରିବା ଲକ୍ଷ୍ୟରେ ଖୋଲା ବଜାରରେ ନିଲାମ ହେବ । ନିଲାମ ବିକ୍ରୟ ମାଧ୍ୟମରେ 1 LMT ବଳକା ଚାଉଳ ବିନିଯୋଗ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ପ୍ରକ୍ରିୟା ପାଇଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡକୁ ସରକାରୀ ନିର୍ଦ୍ଦେଶାବଳୀ ଓ ECI ଦ୍ବାରା ଅନୁସୃତ ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ଅନୁଯାୟୀ ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ ଅଧିକୃତ କରାଯାଇଛି । ନିଲାମ ପ୍ରକ୍ରିୟାରେ ଯଦି କୌଣସି ଆର୍ଥିକ କ୍ଷତି ହୁଏ, ତାହା ରାଜ୍ୟ ସରକାରଙ୍କ ଦ୍ବାରା ବହନ କରାଯିବ ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ