
କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଗତ ଜୁନ୍ ୪ରେ ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ିରେ ଭାସୁଥିବାର ଦେଖିଥିଲେ ଲୋକେ। ଖବର ପାଇ ବାରଙ୍ଗ ଥାନା ପୋଲିସ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ଚନ୍ଦ୍ରିକାଙ୍କ ପରିବାର ତରଫରୁ ଏତଲା ଦିଆଯାଇଥିଲା। ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ମାମଲା ରୁଜୁ କରିବା ସହିତ ଜୁନ୍ ୧୩ରେ ଅଭିଯୁକ୍ତ ଭୀମସେନ ଟୁଡୁଙ୍କୁ ମୟୂରଭଞ୍ଜରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରଥମେ ବାରଙ୍ଗ ଥାନା ପୋଲିସ ବିଏନ୍ଏସ୍ର ଧାରା ୧୦୮, ୩(୫)ରେ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ଧାରା ୬୯ ଭୀମସେନଙ୍କ ନାଁରେ ଯୋଡ଼ିଥିଲା ପୋଲିସ। ପୂର୍ବରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ଭୀମସେନଙ୍କ ଜାମିନ ଆବେଦନ ନିମ୍ନ ଅଦାଲତରେ ଖାରଜ ହୋଇଥିଲା। ଘଟଣାର ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଜାମିନରେ ଛାଡ଼ ପାଇବା ପରେ ଅଭିଯୁକ୍ତ ତଦନ୍ତରେ ଅସହଯୋଗ କରିବାର ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ବିଚାରକୁ ନେଇ କଟକ ଦ୍ୱିତୀୟ ଅତିରିକ୍ତ ଦୌରା ଜଜ୍ ଭୀମସେନଙ୍କ ଜାମିନ ଆବଦେନକୁ ଖାରଜ କରିଥିଲେ।




