
ଭୁବନେଶ୍ୱର,: ରମାଦେବୀ ବିଶ୍ୱବିଦ୍ୟାଳୟ ଗଣତିକୁ ନେଇ ଜୋରଦାର ହଙ୍ଗାମା । ସବୁଠି ପ୍ରତିବାଦ, ରାସ୍ତାରୋକ ଆଉ ମୁହାଁମୁହିଁ ସ୍ଥିତି । କ୍ୟାମ୍ପସ ଭିତର ବାହାର ପୁଲିସ ଛାଉଣୀ । ଘୋଷଣା ହୋଇଥିବା ୧୧ଟି ବିଶ୍ୱବିଦ୍ୟାଳୟରୁ ଏବିଭିପି ୬ଟିରେ ସଭାପତି ପଦ ଦଖଲ କରିଛି । ବାକି ୫ଟିରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପ୍ରାର୍ଥୀ ବିଜୟୀ ହୋଇଥିବା ସଂପୃକ୍ତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ବିକ୍ରମଦେବ, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଧରଣୀଧର ବିଶ୍ୱବିଦ୍ୟାଳୟରେ ଏବିଭିପିର ସଭାପତି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ଦାବି କରାଯାଉଛି । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ, ଫକୀରମୋହନ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିସିଜେଡି ସଭାପତି ପ୍ରାର୍ଥୀଙ୍କ ବିଜୟ ଦାବି କରାଯାଇଛି ।
ଘୋଷଣା ହୋଇଥିବା ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବିସିଜେଡି ମଧ୍ୟରେ ଏଥର କଡ଼ା ଟକ୍କର ହୋଇଛି । ଏବିଭିପି ୧୪୨ଟି ସଭାପତି ଆସନ ଦଖଲ କରିଥିବାବେଳେ ବିସିଜେଡି ୧୨୧ଟିରେ ବାଜିମାତ୍ କରିଥିବା ଦାବି କରିଛନ୍ତି । ସେହିପରି ଏନ୍ଏସୟୁଆଇ ପ୍ରାର୍ଥୀ ୫ଟି କଲେଜରେ ସଭାପତି ପଦରେ ବିଜୟୀ ହୋଇଥିବା ସଂଗଠନ ପକ୍ଷରୁ ଦାବି କରାଯାଇଛି । ୧୯ଟି କଲେଜରେ ସଭାପତି ଆସନ ହାସଲ କରି ସ୍ୱାଧୀନ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରାର୍ଥୀ ଦମ୍ ଦେଖାଇଥିବା କୁହାଯାଇଛି ।
କଲେଜ ନିର୍ବାଚନ ଲଢ଼େଇ ଛାତ୍ର ନେତାଙ୍କ ପତିଆରାରେ ଅଟକିଯାଇନି, ଫଳାଫଳରେ ବିଧାୟକମାନଙ୍କ ଶକ୍ତି ପରୀକ୍ଷା ହୋଇଛି । ଅନେକ ବିଧାୟକ ଓ ବଡ଼ ନେତା ବି ନିଜ ଗଡ଼ରେ ଝଟ୍କା ଖାଇଛନ୍ତି । କଲେଜ କ୍ୟାମ୍ପସ ଦବଦବା ବିଧାୟକ/ବିଧାୟିକାଙ୍କ ହାତରୁ ଖସିଯାଇଛି । ଆଉ କିଛି ସ୍ଥାନରେ ଦଳ ସମର୍ଥିତ ପ୍ରାର୍ଥୀ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ଦେଇ କିଛି ବିଧାୟକ ନିଜ ଟେକ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଏବିଭିପିକୁ ବଡ଼ ସଫଳତା ମିଳିଥିବା କୁହାଯାଉଛି । ଛାତ୍ର ସଂଗଠନଗୁଡ଼ିକର ଦାବି ଅନୁସାରେ କେନ୍ଦୁଝରରେ ଏବିଭିପିକୁ ୧୫ଟି ସଭାପତି ଆସନ ଓ ବିସିଜେଡିକୁ ୩ଟି ଆସନ ମିଳିଛି । ଗଞ୍ଜାମରେ ଏବିଭିପି ପ୍ରାର୍ଥୀ ୨ଟି ବିଶ୍ୱବିଦ୍ୟାଳୟ ଓ ୨୫ଟି କଲେଜରେ ସଭାପତି ଆସନ ଜିତିଥିବା ଦାବି କରାଯାଉଛି । ଜିଲ୍ଲାରେ ବିସିଜେଡିକୁ ୬ଟି ସଭାପତି ଆସନ ମିଳିଛି । ସମ୍ବଲପୁରରେ ଏବିଭିପି ୯, ବିସିଜେଡି ୨ଟି ସଭାପତି ପଦ ପାଇଥିବା ଦାବି କରାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ବିସିଜେଡି ୧୦ଟି ସଭାପତି ଆସନ ଜିତି ଦମ୍ ଦେଖାଇଥିବାବେଳେ ଏବିଭିପି ୫ଟି ସଭାପତି ଆସନ ଦଖଲ କରିଛି । କଟକ ଜିଲ୍ଲାରେ ବିସିଜେଡି ୮ ଓ ଏବିଭିପି ୨ଟି ଆସନ ଏବଂ କଟକ ସହରରେ ବିସିଜେଡିକୁ ୭ ଏବଂ ଏବିଭିପିକୁ ୨ଟି ଆସନ ମିଳିଥିବା ସଂଗଠନଗୁଡ଼ିକ ଦାବି କରିଛନ୍ତି । ଭୁବନେଶ୍ୱରର ୨ଟି ଯାକ ବିଶ୍ୱବିଦ୍ୟାଳୟ ବାଦ୍ ଏବିଭିପି ୬ଟି ଏବଂ ବିସିଜେଡି ଗୋଟିଏ ଆସନରେ ସଭାପତି ଦଖଲ କରିଥିବା ଦାବି କରାଯାଉଛି ।
ସୁନ୍ଦରଗଡ଼, ନୟାଗଡ଼, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଆଦି ଜିଲ୍ଲାରେ ପୂରା ଟକରାଟକରି ଓ ରୋମାଞ୍ଚକ ରହିଥିଲା ଏବିଭିପି-ବିସିଜେଡି ମଧ୍ୟରେ ଲଢ଼େଇ । ନୂଆପଡ଼ା, ମାଲକାନଗିରି, କନ୍ଧମାଳ ଜିଲ୍ଲାରେ ଏନଏସୟୁଆଇକୁ କିଛି ସଫଳତା ମିଳିଛି । ଗାଳିଗୁଲଜ, ଗୋଷ୍ଠୀ ସଂଘର୍ଷ, ରାସ୍ତାରୋକ, ପୁଲିସ ଛାଉଣୀରେ ସରିଲା ଛାତ୍ର ସଂସଦ ନିର୍ବାଚନ । ୮ ବର୍ଷ ପରେ ଛାତ୍ର ସଂସଦ ଲଢ଼େଇ ଏତେ ତଗଡ଼ା ଥିଲା, ହଙ୍ଗାମାରେ ରାତି ପାହିଗଲା । ସକାଳୁ ରାତି ଯାଏ ଆଜି ରାଜ୍ୟବ୍ୟାପୀ କଲେଜ ନିର୍ବାଚନ ଧାଁ ଧପଡ଼ ଚାଲିଥିଲା । ବିଧାନସଭା ନିର୍ବାଚନ ଭଳି ରାତି ଅଧ ଯାଏ ହଙ୍ଗାମା ଦେଖିବାକୁ ମିଳିଥିଲା । ଅନେକ ଜିଲ୍ଲାରେ ଏବିଭିପି-ବିସିଜେଡି ମଧ୍ୟରେ ଜୋରଦାର ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । କଲେଜ କ୍ୟାମ୍ପସର ଏ ତାତି ରାଜ୍ୟ ରାଜନୀତିକୁ ବି ତତଲା କରିଦେଇଛି । ବିଳମ୍ବିତ ରାତି ଯାଏ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୋଟ ଗଣତି ଅଙ୍କ ଛିଣ୍ଡିପାରିନଥିଲା । ଉତ୍ତେଜନାରେ କମ୍ପିଥିଲା କ୍ୟାମ୍ପସ ଚୌହଦୀ । ରାତି ତମାମ ଲାଗି ରହିଥିଲା ଛକାପଞ୍ଝା ।







