
ଦେବଗଡ଼: ରାଜ୍ୟସରକାର ଦେବଗଡ଼ ଜିଲ୍ଲାର ବିକାଶରେ ଅବହେଳା କରୁଥିବା ଜିଲ୍ଲା କଂଗ୍ରେସ ସେମ ହେମ୍ରମ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩୬ ଘଣ୍ଟିଆ ଉପବାସରେ ବସିଥିଲେ। ଆଜି ସଂଧ୍ୟାରେ ପିସିସିର ଏକ ପ୍ରତିନିଧି ଦଳ ଉପବାସରେ ବସିଥିବା ଶ୍ରୀ ହେମ୍ରମଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ପ୍ରତିନିଧି ଦଳରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାୟକ, ପିସିସି ସଂପାଦକ ଦିଲୀପ ଦୁରିଆ, ଅନଗୁଳର ପୂର୍ବ ଜିଲ୍ଲା ସଭାପତି ଅମ୍ବିକା ଭଟ୍ଟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ମଞ୍ଜୁଳ ନାଏକ, ଲିତା ଆଚାଯ୍ୟା, ଆକାଶ ଦାଶ, ସୁଶୀଳ ଗୁଡ଼ିଆ, ସୁଶୀଳ ମାଝୀ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଆଜି ଉପବାସରେ ବସିଥିବା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମଙ୍କ ସହ ଆଲୋଚନା କରିବା ସହ ତାଙ୍କର ଦାବିଗୁଡ଼ିକର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ତାଙ୍କର ଉପବାସ ପ୍ରତ୍ୟାହାର କରିଥିଲେ। ତାଙ୍କ ଦାବିଗୁଡ଼ିକ ମଧ୍ୟରେ ପୁରୁଣା ଡାକ୍ତରଖାନାକୁ ସିଏଚ୍ସି ମାନ୍ୟତା, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପରେ ଜମିଗ୍ରହଣରେ ଜମିର ଉଚିତ ମୂଲ୍ୟ ପ୍ରଦାନ ସହ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ କରିବା, ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ପଙ୍କ ଉଦ୍ଧାର, ଗୋହିରା ଡ୍ୟାମ ଇକୋ ଟୁରିଜମ ପାଇଁ ଆସିଥିବା ବିଭିନ୍ନ ସାମଗ୍ରୀକୁ କାର୍ଯ୍ୟକ୍ଷମ କରାଯାଉ, ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ତଥା ବିଭିନ୍ନ ଦାବି ରହିଥିଲା।




