
ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେଉଛି । 7ଟି ଜିଲ୍ଲାର ପ୍ରାୟ 142ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି ।ନିର୍ବାଚନ କମିଶନ (EC)ଙ୍କ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିନ 1ଟା ସୁଦ୍ଧା 61.11 ପ୍ରତିଶତ ମତଦାନ ହୋଇଛି ।
23 ଏପ୍ରିଲରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ, 93.19 ପ୍ରତିଶତ ଭୋଟରଙ୍କ ରେକର୍ଡ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 16ଟି ଜିଲ୍ଲାର ମୋଟ 152ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ମେ’ 4 ତାରିଖ ପଳାଫଳ ପ୍ରକାଶ ପାଇବ ।
ନିର୍ବାଚନ ହେବାକୁ ଥିବା 142ଟି ଆସନ ମଧ୍ୟରୁ, ଗତ 2021 ନିର୍ବାଚନରେ ଟିଏମସି 123ଟି ଜିତିଥିବା ବେଳେ ବିଜେପି ମାତ୍ର 18ଟି ଏବଂ ଆଇଏସଏଫ ଗୋଟିଏ ଆସନରେ ଜିତିଥିଲା ।ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀ । ଭାରତୀୟ ଜନତା ପାର୍ଟିର ଶୁଭେନ୍ଦୁ ଅଧିକାରୀଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା । ବିଜେପି ନେତା ଶୁଭେନ୍ଦୁ ନନ୍ଦିଗ୍ରାମରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମମତାଙ୍କ ନେତୃତ୍ୱାଧୀନ ଟିଏମସି ସରକାର ବଙ୍ଗରେ ଚତୁର୍ଥ ଥର ପାଇଁ ସରକାର ଗଢ଼ିବାକୁ ଆଶା ରଖିଛି ।
କାଲିଘାଟରେ ଉତ୍ତେଜନା । ଶୁଭେନ୍ଦୁ ଅଧିକାରୀ ଜୟ ହିନ୍ଦ ଭବନରେ ବୁଥ୍ ଯାଞ୍ଚ କରିବାକୁ ଯାଇଥିଲେ । ତାଙ୍କ ଚାରିପାଖରେ ଚୋର ଚୋର ସ୍ଲୋଗାନ ଉଠିବା ଆରମ୍ଭ ହୋଇଥିଲା । କେନ୍ଦ୍ରୀୟ ବାହିନୀ ଲାଠିଚାର୍ଜ କରିବା ଆରମ୍ଭ କରିଥିଲେ । ଘଟଣା ସମ୍ପର୍କରେ ଶୁଭେନ୍ଦୁ କମିଶନଙ୍କ ନିକଟକୁ ଯାଇଥିଲେ । ଯଦିଓ କିଛି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ସେ ଉତ୍ତେଜନା ସୃଷ୍ଟି କରିବା ପାଇଁ ସୁରକ୍ଷା ବାହିନୀ ଏବଂ ଅନ୍ୟମାନଙ୍କୁ ସାଙ୍ଗରେ ଆଣିଥିଲେ । ବିଜେପି ଏହାର ଜବାବରେ ଅଭିଯୋଗ କରିଛି ଯେ ଶୁଭେନ୍ଦୁ, ଫୋର୍ସ ଜବାନଙ୍କ ସହିତ ବାହାର ଭୋଟରଙ୍କୁ ଧରିବା ପାଇଁ ଭିଡ଼ ଆଡକୁ ଯାଇଥିଲେ ।


