
ମାଲକାନଗିରି: ମୋଟୁ ବନାଞ୍ଚଳରେ ବାଘ ଆତଙ୍କ । ରେଡିଓ କଲାର ପିନ୍ଧା ଯାଇଥିବା ଏକ ବାଘ ଘୂରି ବୁଲୁଥିବା ଚିହ୍ନଟ ହେବା ପରେ ବନବିଭାଗ ପକ୍ଷରୁ ସତର୍କତା ବଢ଼ାଯାଇଛି । ବାଘର ଗତିବିଧି ଉପରେ ନଜର ରଖାଯାଇଛି । ବିଭାଗର ସ୍ୱତନ୍ତ୍ର ଟିମ୍ ଓ ରାପିଡ୍ ରେସ୍ପନ୍ସ ଟିମ୍ (ଆର୍ଆର୍ଟି)କୁ ନିୟୋଜିତ କରାଯାଇଛି । ଡିଏଫ୍ଓ ସାଇକିରଣ ଡି. ଏନ୍ ଏମ୍ଭି-୭୯ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଇକିରଣ କହିଛନ୍ତି, ଆନ୍ଧ୍ରର ପାପିକୋଣ୍ଡାଲୁ ଅଭୟାରଣ୍ୟରୁ ଚାଲିଆସିଛି ଏହି ବାଘ । ଏବେ ମାଲକାନଗିରି ବନଖଣ୍ଡ ଅଧୀନ ମୋଟୁ ରେଞ୍ଜ୍ରେ ବୁଲୁଛି । ରେଡିଓ କଲାର ମାଧ୍ୟମରେ ବାଘର ସ୍ଥିତି ସମ୍ପର୍କରେ ତଥ୍ୟ ହାସଲ କରାଯାଉଛି । ତା’ର ଚଲାପଥ ଓ ପାଦଚିହ୍ନ ଯାଞ୍ଚ୍ କରାଯାଉଛି । ବାଘର ଉପସ୍ଥିତି ନେଇ ଆଖପାଖ ଗାଁରେ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରାଯାଇଛି ।
ଜଙ୍ଗଲ ଓ ବିପଦପୂର୍ଣ୍ଣ ଅଞ୍ଚଳକୁ ଏକାକୀ ନ ଯିବା ଏବଂ ବାଘକୁ ଦେଖିଲେ ଉତ୍ତେଜିତ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବାଘଟି ଯେମିତି ଜନବସତି ଆଡ଼କୁ ନ ଆସିବ ଏବଂ କୌଣସି ଅଘଟଣ ନ ଘଟାଇ ନିରାପଦରେ ତା’ର ଆବାସସ୍ଥଳୀକୁ ଫେରିଯିବ ସେଥିପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କ ସହାୟତା ନିଆଯାଇଛି । ବାଘ କିମ୍ବା ତା’ର ପାଦଚିହ୍ନ ଦେଖାଗଲେ ଅବା ଅସ୍ୱାଭାବିକ ଗତିବିଧି ନଜରକୁ ଆସିଲେ ତୁରନ୍ତ ବନ ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି।




