
ନୂଆଦିଲ୍ଲୀ: ନିଟ୍ (ୟୁଜି) ପୁନଃପରୀକ୍ଷା ଜୁନ୍ ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ନାଗପୁର ଜଣେ ଆଶାୟୀ ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଆବୁଧାବିରେ ହେବା ଘଟଣାକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)କୁ ସମାଲେଚନା କରି ଛାତ୍ରଙ୍କ ଭବିଷ୍ୟତ ସହିତ ନ ଖେଳିବା ପାଇଁ ଚେତାବନୀ ଦେଇଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ନାଗପୁରର ଜଣେ ଛାତ୍ର ନିଟ୍ ପୁନଃ ପରୀକ୍ଷା ପାଇଁ ମାସେ ହେଲା ପ୍ରସ୍ତୁତି କରୁଛନ୍ତି। ପରୀକ୍ଷାର ଦିନକ ପୂର୍ବରୁ ଆଡମିଟ୍ କାର୍ଡ଼ ଡାଉନଲୋଡ କରିବାବେଳେ ତାଙ୍କ ପରୀକ୍ଷା କେନ୍ଦ୍ର ଆବୁଧାବିରେ ପଡ଼ିଥିବା ଦେଖିଲେ। ତାଙ୍କ ପାଖରେ ପାସପୋର୍ଟ ନାହିଁ, ବିଦେଶ ଯିବାକୁ ଘରେ ଏତେ ସମ୍ବଳ ନାହିଁ। ତାଙ୍କ ପାଖରେ ସମୟ ମଧ୍ୟ ନାହିଁ। ସେ ରାତି ସାରା କାନ୍ଦିଥିଲେ। ଏ ଭିତରେ ସେ କେତେ ଚାପରେ ରହିଥିବେ କେହି ଚିନ୍ତା କରିପାରିବ କି ? ଏହା କେମିତି ହେଲା ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ବାସ୍ତବରେ ଏନ୍ଟିଏ ଦେଶର ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛି ବୋଲି କଂଗ୍ରେସ ସାଂସଦ କହିଛନ୍ତି। ଏହି ପ୍ରସଙ୍ଗରେ ଏନ୍ଟିଏ ତରଫରୁ ଦର୍ଶାଯାଇଛି ଯେ ତ୍ରୁଟି ସଂଶୋଧନ କରାଯାଇ ଛାତ୍ରଙ୍କୁ ନାଗପୁରରେ ଏକ କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଆଡମିଟ୍ କାର୍ଡ଼ କିଛି ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ।


