
ଭୁବନେଶ୍ୱର: ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି., ମଚ୍ଛଲିପଟନମ୍ଠାରୁ ୫୬୦ କି.ମି. ଓ ବିଶାଖାପାଟଣାଠାରୁ ୬୧୦ କି.ମି. ଦୂରରେ ରହିଥିଲା। ସୋମବାର ଚେନ୍ନାଇଠାରୁ ୨୬୦ କିମି ଦୂରରେ ରହିଛି ବାତ୍ୟା। ନେଲୋରରୁ ୨୯୦, ମଛଲିପଟନମ୍ଠାରୁ ୩୨୦ କିମି ଦୂରରେ ବାତ୍ୟା ‘ମୁରାସୁ’ ରହିଛି। ମଧ୍ୟରାତ୍ରିରୁ କାଲି ଭୋର୍ ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟା ଧିରେ ଧିରେ ସମୁଦ୍ରରୁ ବଳ ଗୋଟାଇ ଘଣ୍ଟାପ୍ରତି ୨୦ କି.ମି. ବେଗରେ ଆଗକୁ ବଢ଼ି ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ନେଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୧୦ କିମି ରହିବା ସହ ଝଟ୍କା ପବନର ବେଗ ସର୍ବାଧିକ ୧୨୦ କି.ମି. ପର୍ଯ୍ୟନ୍ତ ରହିପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମୁରାସୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପୁଣି ବର୍ଷା ଭୟ ଦେଖାଦେଇଛି। ବିଶେଷକରି ନଭେମ୍ବର ୩ ଓ ୪ ତାରିଖ ଦକ୍ଷିଣ ଓଡ଼ିଶା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାକୁ ଅଧିକ ବିପଦ ରହିଥିବା ସେ ସୂଚନା ଦେଇଛନ୍ତି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାର ଗଜପତି ଓ ଗଞ୍ଜାମ ଜିଲାକୁ ପ୍ରବଳ ବର୍ଷା ଏବଂ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୟାଗଡ଼କୁ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୬୦ କି.ମି. ରହିବ। ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହିଦିନ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପୁରୀ ଓ ଖୋର୍ଦ୍ଧାକୁ ଝଡ଼ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ସେହିପରି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲାକୁ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବୁଧବାର ୪ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଲାଗି ରହିବ। ତେବେ ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକେ ବିଶେଷ ସାବଧାନ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।




