
ଭୁବନେଶ୍ୱର: ରାଜ୍ୟରେ ୧୮ଟି ନୂଆ ସିଭିଲ୍ ଜଜ୍ କୋର୍ଟ ସ୍ଥାପନ ପାଇଁ ପଦକ୍ଷେପ । ଓଡ଼ିଶା ହାଇକୋର୍ଟ ୧୩ ଟି ଜିଲ୍ଲାର ୧୮ଟି ନୂଆ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ)-କମ୍-ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଛି । ଉଚ୍ଚ ନ୍ୟାୟାଳୟର ସ୍ବତନ୍ତ୍ର ଅଫିସର ମଳୟ କୁମାର ପ୍ରଧାନ ଏନେଇ ଜିଲ୍ଲାର ବିଚାରପତିଙ୍କୁ ଲେଖିଛନ୍ତି । ବରଗଡ଼, ଭଦ୍ରକ, ବଲାଙ୍ଗୀର, ଦେଓଗଡ଼, ଢେଙ୍କାନାଳ, ଗଞ୍ଜାମ , ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ , ନବରଙ୍ଗପୁର, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ନୂଆ କୋର୍ଟ ସ୍ଥାପନ ହେବ ।
ନବରଙ୍ଗପୁରରେ ସର୍ବାଧିକ ତିନିଟି କୋର୍ଟ ପାପଡ଼ାହାଣ୍ଡି ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ହେବ। ବରଗଡ଼ ଆତାବିରା, ମୟୂରଭଞ୍ଜା ସାମାଖୁଣ୍ଟା, ଭଦ୍ରକ ଭଣ୍ଡାରିପୋଖରୀ, ମୟୂରଭଞ୍ଜ କୁଲିଆନା, ବଲାଙ୍ଗୀର ଦେଓଗାଁ, ଦେଓଗଡ଼ ନାଇକୁଲ (ଟିଲେଇବାଣି), ଢେଙ୍କାନାଳ ଓଡ଼ପଡ଼ା , ଗଞ୍ଜାମ ରଙ୍ଗେଇଲୁଣ୍ଡା, ନୟାଗଡ଼ ନୂଆଗାଁ, ଜଗତସିଂହପୁର ବିରିଡ଼ି, ପୁରୀର ବ୍ରହ୍ମଗିରି, ଜଗତସିଂହପୁର ରଘୁନାଥପୁର, ସୁନ୍ଦରଗଡ଼ ସୁବଡେଗା, ଯାଜପୁର ଦଶରଥପୁର, ସୁନ୍ଦରଗଡ଼ ତାଙ୍ଗରପଲ୍ଲୀରେ ଏସବୁ କୋର୍ଟ ସ୍ଥାପନ ହେବ ।
ହାଇକୋର୍ଟ ଏସବୁ ଜିଲ୍ଲାର ବିଚାରପତିମାନଙ୍କୁ ନୂଆ କୋର୍ଟଗୁଡ଼ିକର ଅଧିକ୍ଷେତ୍ର ସୀମା ଉଲ୍ଲେଖ କରି ଡ୍ରାଫ୍ଟ ନୋଟିଫିକେସନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି କୋର୍ଟ ହଲ୍, ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ, ଅଲଗା ଲକ୍-ଅପ୍, ଅଫିସ୍, ପ୍ରିସାଇଡିଙ୍ଗ୍ ଅଫିସରଙ୍କ ଚେମ୍ବର୍ ଓ ଆବାସିକ ବ୍ୟବସ୍ଥା ତଥା କର୍ମଚାରୀଙ୍କ ପାଇଁ ଆବାସ ଉପଲବ୍ଧତା ବିଷୟରେ ସୂଚନା ୬ ନଭେମ୍ବର ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ବା ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ନ୍ୟାୟ ପାଇବାରେ ସହଜତା ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।



