
ବାଲେଶ୍ୱର: ମିସାଇଲ ପରୀକ୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ ସ୍ଥାନାନ୍ତରଣ କରାଯାଇଛି । ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ମିସାଇଲ ପରୀକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ଏହି ପରୀକ୍ଷଣ ସମୟରେ ଲଞ୍ଚ ପ୍ୟାଡ୍-୩ ରୁ ୩.୫ କିଲୋମିଟର ପରିଧି ମଧ୍ୟରେ ରହୁଥିବା ସ୍ଥାନୀୟ ବାସିନ୍ଦା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ପ୍ରଶାସନ ପକ୍ଷରୁ ସମସ୍ତ ନିୟୋଜିତ ଅଧିକାରୀଙ୍କୁ ସେମାନଙ୍କର ଦାୟିତ୍ୱ ବଣ୍ଟନ କରିଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କୁ ଖାଦ୍ୟପେୟର ସୁବିଧା କରାଯିବା ସହ, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହୋଇଥିଲେ। ଅନ୍ୟପଟେ ଲୋକମାନଙ୍କୁ ପ୍ରଶାସନିକ ସ୍ତରରେ ସହାୟତା ରାଶି ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ବୁଧବାର ଦୁଇ ରାଉଣ୍ଡ ମିସାଇଲ ପରୀକ୍ଷଣ କରାଯାଇଥିବା ବେଳେ ଗୁରୁବାର ମଧ୍ୟ ମିସାଇଲ ପରୀକ୍ଷଣ କରାଯିବା ନେଇ ସୂଚନା ରହିଛି।
ମିସାଇଲ ପରୀକ୍ଷଣ ପାଇଁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାକୁ ତଦାରଖ କରିଥିଲେ ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବିଏ। ସେକହିଛନ୍ତି ଯେ,” କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଲୋକମାନଙ୍କର ମଧ୍ୟ ବହୁତ ସହଯୋଗ ରହିଥିଲା। ଆମର ପାଖାପାଖି ପାଞ୍ଚଟି ସ୍ଥାନରେ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳୀରେ ଅସ୍ଥାୟୀ ଭାବେ ଆଶ୍ରୟସ୍ଥଳୀ କରାଯାଇଥିଲା। ଖାଇବା ପିଇବା, ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଥିଲା। କ୍ଷପଣାସ୍ତ୍ର ପରୀକ୍ଷଣ ପର୍ଯ୍ୟନ୍ତ ଲୋକମାନେ ଆଶ୍ରୟସ୍ଥଳୀରେ ରହିଥିଲେ।”
ସମ୍ପୃକ୍ତ ଅଞ୍ଚଳର ପ୍ରାୟ ୧୧,୪୪୨ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ୪ଟି ଅସ୍ଥାୟୀ ଶିବିର ଆୟୋଜନ କରାଯାଇଥିଲା। ବର୍ଦ୍ଧନପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ବର୍ଦ୍ଧନପୁର ହାଇସ୍କୁଲ, ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, ତୁଣ୍ଡରା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ନିଧିପଡ଼ା ସେବାଶ୍ରମ ଆଦିରେ ଲୋକମାନଙ୍କୁ ରଖାଯାଇଥିଲା। ସ୍ଥାନାନ୍ତର ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଫିସର ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ହୋଇଥିଲେ।


