
ରାଇକିଆ: ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଇକିଆ ପୋଲିସର ଦୁଇ ହୋମଗାର୍ଡ। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଭୂସ୍ଖଳନ ଘଟି ଗ୍ରାମର ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାବେଳେ ଡାଙ୍ଗେସି ଗ୍ରାମରେ ଫସି ରହିଥିବା ୮୦ ବର୍ଷୀୟା ବୃଦ୍ଧା ସୁମିତ୍ରା ପ୍ରଧାନ ଓ ତାଙ୍କ ପୁଅ ଦତ୍ତ ପ୍ରଧାନଙ୍କୁ ଦୁଇ ହୋମଗାର୍ଡ ସାହସିକତାର ସହ ଉଦ୍ଧାର କରିଛନ୍ତି।ସୂଚନାନୁସାରେ, ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ଡାଙ୍ଗେସି ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା। ଫଳରେ ଗ୍ରାମକୁ ଯାତାୟାତ କରିବା କଷ୍ଟକର ହୋଇପଡ଼ିଥିଲା। ଏଭଳି ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ରାଇକିଆ ପୋଲିସର ଦୁଇ ହୋମଗାର୍ଡ ଦୁର୍ଗମ ରାସ୍ତା ଅତିକ୍ରମ କରି ଡାଙ୍ଗେସି ଗ୍ରାମରେ ପହଞ୍ଚିଥିଲେ। ସେଠାରୁ ବୃଦ୍ଧା ସୁମିତ୍ରା ପ୍ରଧାନଙ୍କୁ ନିଜ କାନ୍ଧରେ ବୋହି ପ୍ରାୟ ୪ କିଲୋମିଟର ଦୂର ସିକବାଡ଼ି ପର୍ଯ୍ୟନ୍ତ ଆଣି ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲେ। ତାଙ୍କ ପୁଅ ଦତ୍ତ ପ୍ରଧାନଙ୍କୁ ମଧ୍ୟ ଉଦ୍ଧାର କରିଥିଲେ।ଏହି ସାହସିକ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଦୁଇ ହୋମଗାର୍ଡ ହେଲେ ସୁନୀଲ କୁମାର ପ୍ରଧାନ ଏବଂ ହେମନ୍ତ ଦିଗାଲ। ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ଖାତିର ନକରି ଅସହାୟ ବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ସେମାନଙ୍କ ଭୂମିକା ବେଶ୍ ପ୍ରଶଂସନୀୟ।ଦୁଇ ହୋମଗାର୍ଡଙ୍କ ଏହି ସାହସିକତା, ସମର୍ପଣ ଓ ନିଃସ୍ୱାର୍ଥପର ସେବାକୁ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ରମେନ୍ଦ୍ର ପ୍ରସାଦ ପୁଷ୍ପଗୁଛ ଦେଇ ସମ୍ମାନିତ କରିଛନ୍ତି. ବିପର୍ଯ୍ୟୟ ସମୟରେ ପୋଲିସ କେବଳ ଆଇନଶୃଙ୍ଖଳା ରକ୍ଷା ନୁହେଁ, ବରଂ ଅସହାୟ ଲୋକଙ୍କ ଜୀବନ ଓ ସୁରକ୍ଷା ପାଇଁ କିପରି ମାନବିକତାର ସହ ଆଗେଇ ଆସେ, ତାହାର ଏକ ଉଦାହରଣ ପାଲଟିଛନ୍ତି ଏହି ଦୁଇ ହୋମଗାର୍ଡ।ଏହି ଦୁଇ ହୋମଗାର୍ଡଙ୍କ ଅଦମ୍ୟ ସାହସ, କର୍ତ୍ତବ୍ୟନିଷ୍ଠା ଓ ମାନବିକ ସେବାକୁ ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର ଉଚ୍ଚ ପ୍ରଶଂସା କରିବା ସହ ଉଭୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବିପର୍ଯ୍ୟୟ ସମୟରେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ମାନବିକତାର ପରିଚୟ ଦେଇଥିବା ଏହି ଦୁଇ ହୋମଗାର୍ଡଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ରିପୋର୍ଟର ଦୁତୀ କୃଷ୍ଣ ପଣ୍ଡା






