
ଏଜ୍ବାଷ୍ଟନ: ଅକ୍ଷର ପଟେଲଙ୍କ ଅଲ୍ରାଉଣ୍ଡ ସଫଳତା ଏବଂ ଶୁଭମନ ଗିଲ୍ ଓ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ମଙ୍ଗଳବାର ଘରୋଇ ଇଂଲଣ୍ଡକୁ ୬ ୱିକେଟ୍ରେ ହରାଇ ଭାରତ ୩-ମ୍ୟାଚ୍ର ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଉଲ୍ଲେଖଯୋଗ୍ୟ; ଚଳିତ ଗସ୍ତରେ ଏହା ଭାରତର ପ୍ରଥମ ବିଜୟ। ୮୦ ରନ୍ରେ ୫ଟି ୱିକେଟ୍ ହରାଇବା ପରେ ଜୋ ରୁଟ୍ ଓ ଲିଆମ୍ ଡସନ୍ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୪୭.୫ ଓଭରରେ ୨୫୮ ରନ୍କରି ଅଲ୍ଆଉଟ୍ ହୋଇଥିଲା। ପରେ ୨୮ଟି ବଲ୍ ବାକିଥାଇ ୪ ୱିକେଟ୍ ହରାଇ ଭାରତ ଜିତି ନେଇଥିଲା। ଗୁରୁବାର ୨ୟ ଦିନିକିଆ ଖେଳାଯିବ।
୨୫୯ ରନ୍ ଲକ୍ଷ୍ୟରେ ଭାରତ ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ୮ମ ଓଭରରେ ଭାରତୀୟ ଓପ୍ନର ୪୩ ରନ୍ର ଭାଗୀଦାରି କରିବା ପରେ ରୋହିତ ଶର୍ମା ୨୧ ବଲ୍ରୁ ୧୧ ରନ୍କରି ଆଉଟ୍ ହୋଇ ଯାଇଥିଲେ। ପରବର୍ତ୍ତୀ ଓଭରରେ ବିରାଟ କୋହଲି ୫ ରନ୍କରି ବିଦାୟ ନେଇଥିଲେ। ୪୮ ରନ୍ରେ ୨ଟି ୱିକେଟ୍ ପଡ଼ିବା ପରେ ଅଧିନାୟକ ଶୁଭମନ ଗିଲ୍ ଓ ଶ୍ରେୟସ ଆୟର ଲଢ଼ୁଆ ବ୍ୟାଟିଂକରି ୧୦୧ ରନ୍ ଯୋଡ଼ିଥିଲେ। ଗିଲ୍ ୭୫ ବଲ୍ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୮୦ ରନ୍କରି ରିଟାୟର୍ଡ ହର୍ଟ ହୋଇଥିଲେ। ଶ୍ରେୟସ ଆୟର ୫୩ ବଲ୍ରୁ ୩୫ ରନ୍କରି ରନ୍ଆଉଟ୍ ହୋଇଥିଲେ। କେ.ଏଲ୍. ରାହୁଲ ମାତ୍ର ୧ ରନ୍ କରିଥିଲେ। ୧୬୦ ରନ୍ରେ ୪ର୍ଥ ୱିକେଟ୍ ପଡ଼ିବା ପରେ ଦୁଇ ଅଲ୍ରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଭାରତକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଅବିଭାଜିତ ୫ମ ୱିକେଟ୍ ପାଇଁ ଦୁହେଁ ୧୦୨ ରନ୍ ଯୋଡ଼ିଥିଲେ। ସୁନ୍ଦର ୬୩ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୨ ଏବଂ ଅକ୍ଷର ୫୨ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୭ ରନ୍କରି ଅପରାଜିତ ଥିଲେ। ୪ଟି ୱିକେଟ୍ ସହ ଅର୍ଦ୍ଧଶତକ ମାରିଥିବା ଅକ୍ଷର ପଟେଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତିବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା। ଦୁଇ ଭାରତୀୟ ପେସର୍ ଯଶପ୍ରୀତ ବୁମ୍ରା ଓ ପ୍ରସିଦ୍ଧ କୃଷ୍ଣ ଚମତ୍କାର ବୋଲିଂ କରିବାରୁ ୭ ଓଭରରେ ଇଂଲଣ୍ଡ ମାତ୍ର ୨୦ ରନ୍ କରିଥିଲା। ପରେ ୪ ଓଭରରେ ୩୮ ରନ୍ ହୋଇଥିଲା। ଗୁର୍ନୁର ବ୍ରାର ଗୋଟିଏ ଓଭରେର ଦୁଇ ଓପ୍ନରଙ୍କୁ ଆଉଟ୍ କରି ଦେଇଥିଲେ। ଜେକବ୍ ବିଥେଲ ୩୧ ବଲ୍ରୁ ମାତ୍ର ୧୪ ରନ୍ କରିଥିଲେ। ବେନ୍ ଡକେଟ୍ ୪୫ ବଲ୍ରୁ ୨ଟି ଛକା ଓ ୬ଟି ଚୌକା ସହ ୪୩ ରନ୍ କରିଥିଲେ। ଅଧିନାୟକ ହ୍ୟାରୀ ବ୍ରୁକ୍ କ୍ରିଜ୍କୁ ଆସିବା ମାତ୍ରେ ଯଶପ୍ରୀତ ବୁମ୍ରାଙ୍କୁ ୨ୟ ସ୍ପେଲ୍ ଦିଆ ଯାଇଥିଲା। ପ୍ରଥମ ବଲ୍ରେ ସ୍ଲିପ୍ରେ କ୍ୟାଚ୍ ଦେଇଥିଲେ ବ୍ରକ୍ (୧)। ପରେ ଗୋଟିଏ ପଟୁ ୱିକେଟ୍ ପଡ଼ି ଚାଲିଥିବା ବେଳେ ଅନ୍ୟ ପଟେ ଜୋ ରୁଟ୍ ଇନିଂସ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ପ୍ରସିଦ୍ଧ କୃଷ୍ଣ ଗୋଟିଏ ଓଭରରେ ଜୋଶ୍ ବଟ୍ଲର (୫) ଓ ସାମ୍ କରନ୍ (୦)ଙ୍କୁ ଆଉଟ୍ କରି ଦେଇଥିଲେ। ୱିଲ୍ ଜ୍ୟାକ୍ସ ୧୯ ବଲ୍ରୁ ୩ଟି ଚୌକା ସହ ୨୦ ରନ୍କରି ବିଦାୟ ନେଇଥିଲେ। ୧୦୭ ରନ୍ରେ ଇଂଲଣ୍ଡ ୬ଟି ୱିକେଟ୍ ହରାଇବା ପରେ ଜୋ ରୁଟ୍ ଓ ଲିଆମ୍ ଡସନ୍ ଲଢ଼ୁଆ ଭାଗୀଦାରି କରି ୧୨୧ ରନ୍ ଯୋଡ଼ିବାରୁ ଏହା ଅଢ଼େଇ ଶହ ରନ୍ ପାର କରି ପାରିଥିଲା। ଡସନ୍ ଜୀବନର ପ୍ରଥମ ଅର୍ଦ୍ଧଶତକ ହାସଲକରି ୮୩ ବଲ୍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୮ ରନ୍ କରିଥିଲେ। ଇଂଲଣ୍ଡ ୩୦ ରନ୍ରେ ଶେଷ ୪ଟି ୱିକେଟ୍ ହରାଇଥିଲା। ଜୋ ରୁଟ୍ ୭୬ ବଲ୍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୭୬ ରନ୍କରି ଅପରାଜିତ ଥିଲେ। ବାମହାତି ସ୍ପିନର ଅକ୍ଷର ପଟେଲ ୪ଟି ଏବଂ ଦୁଇ ପେସର୍ ଗୁର୍ନୁର ବ୍ରାର ଓ ପ୍ରସିଦ୍ଧ କୃଷ୍ଣ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।




