
ବାତ୍ୟା ସହାୟତାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ବଣ୍ଟନରେ ଅବହେଳା ଓ ପାତରଅନ୍ତର ଅଭିଯୋଗ। ପ୍ରତିବାଦରେ ସାନଖେମୁଣ୍ଡି ବିଜେଡି ପକ୍ଷରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା। ପାଟପୁର ଗାନ୍ଧୀ ଛକରୁ ଶହ ଶହ କର୍ମୀ, ନେତା ଓ କ୍ଷତିଗ୍ରସ୍ତ ପରିବାର ରାଲିରେ ଆସି ପ୍ରତିବାଦ କରିଥିଲେ। ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ପାଲ ବଣ୍ଟନରେ ଅବ୍ୟବସ୍ଥା ଅଭିଯୋଗ କରିବା ସହ କ୍ଷତିଗ୍ରସ୍ତ ଚାଷୀ ଓ ବିପନ୍ନଙ୍କୁ ତୁରନ୍ତ ସହାୟତା ଦାବିରେ ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ।
ଅନ୍ୟପଟେ ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଦିଆଯାଇଛି ଏବଂ କୌଣସି ଅନିୟମିତତା ହୋଇନାହିଁ ବୋଲି କହିଛନ୍ତି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ। ବିଜେଡିର ଅଭିଯୋଗକୁ ଭିତ୍ତିହୀନ କହି ପାଲଟା ଅଭିଯୋଗ ଆଣିଛନ୍ତି ବିଜେପି ଯୁବନେତା ଏମ୍. ଚିନ୍ମୟ ରେଡ୍ଡୀ। ଅତିରିକ୍ତ ତହସିଲଦାର ଦିଲୀପ ଜେନାଙ୍କ ପ୍ରତିଶ୍ରୁତି ପରେ ବିଜେଡି ଧାରଣା ପ୍ରତ୍ୟାହାର କରିଛି। ବାତ୍ୟା ସହାୟତାକୁ ନେଇ ଏବେ ବିଜେଡି-ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଛି।





