
ନୂଆଦିଲ୍ଲୀ: ଚାରିଟି ରାଜ୍ୟର ବିଧାନ ପରିଷଦ (ଏମ୍ଏଲ୍ସି) ନିର୍ବାଚନ ଫଳାଫଳକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ କଟାକ୍ଷ କରିବା ପରେ ଏହାର ଜବାବ ଦେଇଛି କଂଗ୍ରେସ। ବିଶେଷକରି ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗଡ଼ ନାଗପୁରରେ ବିଜେପିର ପରାଜୟକୁ ନେଇ କଂଗ୍ରେସ ଟାର୍ଗେଟ କରିଛି। ଅକ୍ଟୋବର ୨୩ରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଓ କର୍ଣ୍ଣାଟକର ୨୮ଟି ଶିକ୍ଷକ ଏବଂ ସ୍ନାତକ ନିର୍ବାଚନମଣ୍ଡଳୀ ଆସନ ପାଇଁ ଭୋଟ୍ ହୋଇଥିଲା। ଏହି ନିର୍ବାଚନରେ ବାଲଟ୍ ପେପର ବ୍ୟବହାର କରାଯାଇଥିଲା। ଫଳାଫଳକୁ ନେଇ ବୁଧବାର ମୋଦୀ ସାମାଜିକ ଗଣମାଧ୍ୟମରେ କଂଗ୍ରେସକୁ କଟାକ୍ଷ କରିଥିଲେ। ଏହାର ଜବାବରେ କଂଗ୍ରେସ ନେତାମାନେ ବିଜେପିର ପରାଜୟକୁ ଉଠାଇଛନ୍ତି।
ଉତ୍ତରପ୍ରଦେଶର ୧୧ଟି ଆସନ ମଧ୍ୟରୁ ବିଜେପି ୬ଟି ଜିତିଥିବା ବେଳେ ସମାଜବାଦୀ ପାର୍ଟି ୫ଟି ଆସନ ହାତେଇଛି। ତେବେ ବାରାଣସୀର ଶିକ୍ଷକ ଓ ସ୍ନାତକ ଉଭୟ ଆସନରେ ବିଜେପି ପରାଜିତ ହୋଇଛି। ବିହାରର ୮ଟି ଓ ମହାରାଷ୍ଟ୍ରର ୫ଟି ଏମଏଲସି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ବିହାରରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରଜ ପାର୍ଟି ଗୋଟିଏ ଆସନ ପାଇବାରେ ସଫଳ ହୋଇଛି। ସେହିପରି ବିରୋଧୀ ଆରଜେଡି ମଧ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛି। ବିଜେପି ୩ଟି ଆସନରେ ବିଜୟୀ ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଦୁଇଟି ଓ ଜେଡିୟୁ ଗୋଟିକରେ ବିଜୟୀ ହୋଇଛି। ମହାରାଷ୍ଟ୍ରର ୫ଟି ଆସନ ମଧ୍ୟରୁ ଏନସିପି-ଏସ୍ପି ୨ଟି ଆସନ ପାଇଥିବାବେଳେ କଂଗ୍ରେସ, ବିଜେପି ଓ ଶିବସେନା ଗୋଟିଏ ଲେଖାଏଁ ଆସନ ପାଇଛନ୍ତି। ତେବେ ମହାରାଷ୍ଟ୍ରର ନାଗପୁର ସ୍ନାତକ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନାଗପୁର ହେଉଛି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଘରୋଇ କ୍ଷେତ୍ର। କଂଗ୍ରେସ ମହାସଚିବ ଜୟରାମ ରମେଶ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଅନ୍ୟ ଦଳକୁ ସମାଲୋଚନା କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନିଜ ଦଳର ପରାଜୟ ଉପରେ ଆତ୍ମସମୀକ୍ଷା କରିବା ଉଚିତ। ବାରାଣସୀରେ ବିଜେପି କାହିଁକି ଉଭୟ ଆସନ ହାରିଲା ଏବଂ ନାଗପୁରରେ କଂଗ୍ରେସ କିପରି ବିଜୟୀ ହେଲା, ତାହା ଉପରେ ମୋଦୀ ସମୀକ୍ଷା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। କର୍ଣ୍ଣାଟକର ୪ଟି ଏମଏଲ୍ସି ଆସନରେ ବିଜେପି ଓ ସହଯୋଗୀ ଜେଡି-ଏସ୍ ବିଜୟୀ ହୋଇଛନ୍ତି।
ଅନ୍ୟପକ୍ଷରେ, କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମଧ୍ୟ ବିଜେପିକୁ ଘେରିଛନ୍ତି। ବାଲଟ୍ ପେପର ମାଧ୍ୟମରେ ହୋଇଥିବା ନିର୍ବାଚନକୁ ନେଇ ମୋଦୀଙ୍କ କଟାକ୍ଷର ଜବାବରେ ସେ କହିଛନ୍ତି, ଯଦି ବିଜେପି ବାଲଟ୍ ପେପର ଉପରେ ଏତେ ଭରସା କରୁଛି, ତେବେ ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ମଧ୍ୟ ବାଲଟ୍ ପେପରରେ କରାଯାଉ।




