
କେନ୍ଦ୍ରାପଡ଼ା: ଶୌଚ ପାଇଁ ନଈକୁ ଯାଇଥିବାବେଳେ ଯୁବକଙ୍କୁ ଆକ୍ରମଣ କଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ର ଦକ୍ଷିଣ ଜମ୍ବୁ ଗାଁରେ ଘଟିଛି ଏହି ଘଟଣା। କୁମ୍ଭୀର ଆକ୍ରମଣରେ ଧର୍ମପଦ ମଣ୍ଡଳ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ସକାଳୁ ଧର୍ମପଦ ଘର ନିକଟ ଗୋବରୀ ନଈକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ବଉଳା କୁମ୍ଭୀର ତାଙ୍କ ଦୁଇ ହାତକୁ କାମୁଡ଼ି ଧରି ନଈ ଭିତରକୁ ଟାଣି ନେଇଥିଲା । ତେବେ ସାହସର ସହ କୁମ୍ଭୀର କବଳରୁ ଖସି ଆସି ନିଜ ଜୀବନ ବଞ୍ଚାଇଥିଲେ ଧର୍ମପଦ।
ଏହି ଆକ୍ରମଣରେ ତାଙ୍କ ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଆହତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତାଙ୍କ ଦୁଇ ହାତରେ ୧୫ଟି ଷ୍ଟିଚ୍ ପଡ଼ିଥିବା ସୂଚନା ମିଳିଛି ।






