ଯୋଗ ଭାରତୀୟ ବୈଦିକ ପରମ୍ପରାର ଅମୂଲ୍ୟ ଐତିହ୍ୟ: ଡଃ ସୁଧାଂଶୁ ତ୍ରିବେଦୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଯୋଗ ମହୋତ୍ସବ ସମିତି, ଓଡ଼ିଶାର ବାର୍ଷିକ ଉତ୍ସବ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ରାଜନେତା ଡଃ ସୁଧାଂଶୁ ତ୍ରିବେଦୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଉପସ୍ଥିତ ଥିଲେ।

ଏହି ବାର୍ଷିକ ଉତ୍ସବରେ ସମିତିର ୩୬ଟି ସାଂଗଠନିକ ଜିଲ୍ଲାରୁ ୬୦୦ରୁ ଊର୍ଦ୍ଧ୍ୱ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦେଇ ସାମୂହିକ ଯୋଗାସନ ପ୍ରଦର୍ଶନ କରିଥିଲେ। ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ବୁଦ୍ଧିଜୀବୀ, ଡାକ୍ତର, ପ୍ରଫେସର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ସମିତିର ଶୁଭେଚ୍ଛୁ ଓ ସାଧୁସନ୍ଥମାନେ ଯୋଗଦେଇଥିଲେ। ଫଳରେ ଏହି ଉତ୍ସବରେ ମୋଟ ୨,୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଯୋଗ ମହୋତ୍ସବ ସମିତି ଦ୍ୱାରା ଓଡ଼ିଶାରେ ଯୋଗର ପ୍ରଚାର ପ୍ରସାର ଦିଗରେ ଯେଉଁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ସେଥିପାଇଁ ଧନ୍ୟବାଦ୍ ଜଣାଇଛନ୍ତି। । ଏବଂ କଳିଙ୍ଗ ଷ୍ଟାଡିୟମରେ ବିଶାଳ ଯୋଗ ଦିବସ ପାଳନ କରି ଓଡ଼ିଶାରେ ଏକ ରେକର୍ଡ ସୃଷ୍ଟି କରିଛି ବୋଲି ପ୍ରକାଶ କରିଛନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଯୋଗର ଅବଦାନ ସମ୍ପର୍କରେ ପରିପ୍ରକାଶର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗ ପାଠ୍ୟକ୍ରମର ଆରମ୍ଭ ପାଇଁ ପ୍ରୟାସ କରି MOU ସାଇନ୍ କରିଥିବାରୁ ଯୋଗ ମହୋତ୍ସବ ସମିତି କୁ ପୁନଃ ଧନ୍ୟବାଦ୍ ଜଣାଇଛନ୍ତି ।

ମୁଖ୍ୟବକ୍ତା ଡଃ ସୁଧାଂଶୁ ତ୍ରିବେଦୀ ନିଜ ଅଭିଭାଷଣରେ ଯୋଗ ମହୋତ୍ସବ ସମିତିର କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତୀୟ ବୈଦିକ ପରମ୍ପରାରେ ଯୋଗର ମହତ୍ତ୍ୱ ଓ ଏହାର ବିଶ୍ୱବ୍ୟାପୀ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସରେ ଯୋଗକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂତନ ପରିଚୟ ମିଳିଥିବା ସେ ଉଲ୍ଲେଖ କରିଥିଲେ। ଓଡ଼ିଶାର ଗ୍ରାମେ ଗ୍ରାମେ ଯୋଗର ପ୍ରଚାର ଓ ପ୍ରସାର କରିବା ଦିଗରେ ଯୋଗ ମହୋତ୍ସବ ସମିତିର ଅବଦାନକୁ ସେ ଭୂୟସୀ ପ୍ରଶଂସା କରିଥିଲେ।

ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ଆତ୍ମାକୁ ପରମାତ୍ମା ସହ ସଂଯୁକ୍ତ କରିବାର ଏକ ମହାନ ଆଧ୍ୟାତ୍ମିକ ପ୍ରକ୍ରିୟା ବୋଲି ଡଃ ତ୍ରିବେଦୀ ମତବ୍ୟକ୍ତ କରିଥିଲେ। ଯମ, ନିୟମ ସମେତ ଅଷ୍ଟାଙ୍ଗ ଯୋଗର ବିଭିନ୍ନ ଦିଗ ଓ ଯୋଗର ଶେଷ ଅବସ୍ଥା ସମାଧିର ମହତ୍ତ୍ୱ ବିଷୟରେ ସେ ବିଶଦ ଭାବେ ବୁଝାଇଥିଲେ। ଏଥିସହ ରୋଗ ପ୍ରତିରୋଧ, ଶାରୀରିକ ସୁସ୍ଥତା ଓ ମାନସିକ ସନ୍ତୁଳନ ରକ୍ଷା କରିବାରେ ଯୋଗର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟଗତ ଉପଯୋଗିତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଭାରତୀୟ ସଂସ୍କୃତି, ଜନଜାତି ପରମ୍ପରା ଓ ସନାତନ ଚିନ୍ତନର ଅନ୍ତର୍ନିହିତ ସମ୍ପର୍କ ଉପରେ ଆଲୋକପାତ କରି ସେ ଜନଜାତି ସଂସ୍କୃତି ଭାରତୀୟ ସାଂସ୍କୃତିକ ଚେତନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମତ ପ୍ରକାଶ କରିଥିଲେ। ‘ମାତା ଭୂମିଃ ପୁତ୍ରୋଽହଂ ପୃଥିବ୍ୟାଃ’ ଭଳି ବୈଦିକ ଭାବନା ମାଧ୍ୟମରେ ମାତୃଭୂମି ପ୍ରତି ଭାରତୀୟଙ୍କ ଗଭୀର ଆତ୍ମୀୟତାକୁ ସେ ଉପସ୍ଥାପନ କରିଥିଲେ। ଏଥିସହ ଜି-୨୦ ସମ୍ମିଳନୀ ସମୟରେ କୋଣାର୍କ ସୂର୍ଯ୍ୟମନ୍ଦିରର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ଉଲ୍ଲେଖ କରିଥିଲେ।

ଭାରତର ଡିଜିଟାଲ କାରବାର ବ୍ୟବସ୍ଥାର ସଫଳତା, ମହାକାଶ ଗବେଷଣାରେ ଦେଶର ଅଗ୍ରଗତି ଓ ବିକାଶଶୀଳ ଭାରତର ସଂକଳ୍ପ ସମ୍ପର୍କରେ ମଧ୍ୟ ସେ ମତ ରଖିଥିଲେ। ମଙ୍ଗଳଯାନ ମିଶନର ସଫଳତାକୁ ଭାରତର ବୈଜ୍ଞାନିକ ଦକ୍ଷତାର ଏକ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପ ଓ ପାରାଦ୍ୱୀପରେ ପେଟ୍ରୋଲିୟମ ରିଫାଇନାରୀ ସମ୍ପର୍କିତ ବିକାଶମୂଳକ ପଦକ୍ଷେପ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତିକୁ ନୂତନ ଦିଗ ଦେବ ବୋଲି ସେ ଉଲ୍ଲେଖ କରିଥିଲେ। ଦୀପାବଳି ଭାରତୀୟ ସଂସ୍କୃତିର ଗର୍ବ ଓ ଗୌରବର ପର୍ବ ବୋଲି କହିବା ସହ ଏହାକୁ ନେଇ ହେଉଥିବା ଅପପ୍ରଚାର ସମ୍ପର୍କରେ ମଧ୍ୟ ସେ ନିଜ ମତ ରଖିଥିଲେ।

ଭଗବାନ ଶ୍ରୀଜଗନ୍ନାଥଙ୍କ ସହ ଦ୍ୱାରିକା, ମଥୁରା ଓ ବୃନ୍ଦାବନର ଆଧ୍ୟାତ୍ମିକ ସମ୍ପର୍କ ଉପରେ ଆଲୋଚନା କରି ଭାରତୀୟ ସଭ୍ୟତାର ଏକତା ଓ ସାଂସ୍କୃତିକ ଗଭୀରତାକୁ ସେ ଉପସ୍ଥାପନ କରିଥିଲେ। ଭାରତ ଅନ୍ୟ ଦେଶକୁ ପ୍ରଭାବିତ କିମ୍ବା ଆଧିପତ୍ୟ ବିସ୍ତାର କରିବା ପାଇଁ ନୁହେଁ, ବରଂ ନିଜର ଜ୍ଞାନ, ସଂସ୍କୃତି ଓ ସାମର୍ଥ୍ୟ ବଳରେ ବିଶ୍ୱକୁ ନୂତନ ଦିଗଦର୍ଶନ ଦେବା ପାଇଁ ଆଗକୁ ବଢ଼ୁଛି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ‘India is all set to rise, not to dominate’ ଏବଂ ‘ୟହି ସମୟ ହୈ, ସହି ସମୟ ହୈ’ ବାର୍ତ୍ତା ମାଧ୍ୟମରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଆଶାବାଦୀ ହେବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗ ଆଧାରିତ ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମର ପୁନଃପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍‌କୁ ଆଧାର କରି ବିଶ୍ୱବିଦ୍ୟାଳୟରେ ଯୋଗ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯାଇଛି ଏବଂ ଏଥିନିମନ୍ତେ ଏକ ବୁଝାମଣାପତ୍ର (MoU) ମଧ୍ୟ ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଥିଲେ।

ଯୋଗ ମହୋତ୍ସବ ସମିତିର ସହଯୋଗରେ ଗତବର୍ଷ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକ ଯୋଗାଭ୍ୟାସ କରିଥିବା ସେ ପ୍ରକାଶ କରିଥିଲେ। ରାଜ୍ୟର କୋଣ ଅନୁକୋଣରେ ଯୋଗର ପ୍ରଚାର ଓ ପ୍ରସାର କରିବାରେ ସମିତିର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ଅତ୍ୟଧିକ ଚିନ୍ତା ଓ ମାନସିକ ଚାପକୁ ଦୂର କରିବା ସହ ମାନସିକ ଶାନ୍ତି ଓ ଏକାଗ୍ରତା ବୃଦ୍ଧି ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ। ମୋବାଇଲ୍ ଓ ଲାପଟପ୍ ସମ୍ମୁଖରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ଫଳରେ ମେରୁଦଣ୍ଡ ଓ ଶରୀରରେ ଦେଖାଦେଉଥିବା ସମସ୍ୟାରୁ ମୁକ୍ତି ପାଇବାରେ ଯୋଗାଭ୍ୟାସ ସହାୟକ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ସହ ଯୋଗର ପ୍ରଚାର ଓ ପ୍ରସାର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବାରୁ ସେ ଯୋଗ ମହୋତ୍ସବ ସମିତିକୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗ ମହୋତ୍ସବ ସମିତିର ସଭାପତି ଶ୍ରୀ ଆଲୋକ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ସମିତିର ଯୁଗ୍ମ ସମ୍ପାଦକ ଶ୍ରୀ ସତ୍ୟ ଶୋଭନ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶ୍ରୀ ସରୋଜ କାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବର ସଫଳ ଆୟୋଜନ ଓ ସୁପରିଚାଳନାରେ ସମିତିର ଉପସଭାପତି ଶ୍ରୀମତୀ ଅସୀମା ସାହାଣୀ, ଶ୍ରୀମତୀ ସରୋଜା ଲକ୍ଷ୍ମୀ ସିଂ, କୋଷାଧ୍ୟକ୍ଷ ଶ୍ରୀ ଚନ୍ଦନ ପ୍ରଧାନ, ଶ୍ରୀ ପ୍ରଣବ ରାୟ, ଶ୍ରୀ ପ୍ରେମାନନ୍ଦ ନାଥ, ଶ୍ରୀ ଅମୀୟ ଦାସ, ଶ୍ରୀ ଜ୍ୟୋତି ରଞ୍ଜନ ସ୍ୱାଇଁ, ଶ୍ରୀ ପ୍ରଫୁଲ୍ଲ ପ୍ରଧାନଙ୍କ ସମେତ ପ୍ରାନ୍ତୀୟ ସମିତିର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

  • Related Posts

    ‘ଅକଭାନ୍’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ

    ଭୁବନେଶ୍ୱର: ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ । ବାତ୍ୟା ପାଇଁ ୩ଟି ସମ୍ଭାବ୍ୟ ଗତିପଥ, ତାମିଲନାଡୁ-ଆନ୍ଧ୍ର, ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଓ ମିଆଁମାର ଉପକୂଳକୁ ନେଇ ଆକଳନ । ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ୍ ’ର ଗତିପଥକୁ…

    Continue reading
    ବାତ୍ୟା ପ୍ରଭାବ: ୧୮ରୁ ୨୦ ଯାଏଁ ଛେଚିବ ବର୍ଷା!

    ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା ବର୍ଷା ପବନ ହୋଇପାରେ। ୧୮, ୧୯ ଏବଂ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !