ସ୍ତ୍ରୀଙ୍କ ଜନ୍ମଦିନରେ ସ୍ୱାମୀଙ୍କୁ ହତ୍ୟା!

ବାଲେଶ୍ୱର: ପତ୍ନୀଙ୍କ ଜନ୍ମଦିନ ପାଇଁ ଭୁବନେଶ୍ୱରରୁ ବାଲେଶ୍ୱର ଆସିଥିଲେ । ଧୁମ୍‌ଧାମରେ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା । ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ସେଲିବ୍ରେସନ୍ । ମାତ୍ର ପରେ ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ସମସ୍ତଙ୍କୁ ଚକିତ କଲା ଭଳି ଏଭଳି ଘଟଣା ଗୁରୁବାର ବିଳମ୍ବିତ ରାତିରେ ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ନିକଟସ୍ଥ ବିଜୁ ପଟ୍ଟନାୟକ କଲୋନୀରେ ଘଟିଛି । ମୃତକ ହେଲେ ରଶ୍ମିରଞ୍ଜନ ସେଠୀ(୩୮) । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ଥାନା ଅନ୍ତର୍ଗତ ଅଁଳା ଗ୍ରାମରେ । ରଶ୍ମିରଞ୍ଜନ କଟକ ଡିଭିଜନ୍ ଅନ୍ତର୍ଗତ ଆର୍ ଆଣ୍ଡ ବି ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଭୁବନେଶ୍ୱରରେ ରହୁଥିଲେ । ଅନ୍ୟପଟେ ଜନ୍ମଦିନ ପାଳନ ପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ହେଲେ ମେଡିକାଲ୍‌ରେ ମୃତଦେହ ଛାଡ଼ି ପତ୍ନୀ ସମେତ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ପରକୀୟା ପ୍ରୀତିରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ ସୂଚନା ମୁତାବକ, ଗତ ବୁଧବାର ସେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲୋନୀରେ ରହୁଥିବା ପତ୍ନୀ ରଶ୍ମିରେଖା ଭୂୟାଁ(୩୦)ଙ୍କୁ ଭେଟିବା ପାଇଁ ଆସିଥିଲେ । ରଶ୍ମିରେଖା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍ଏଚ୍ଏମ୍‌ରେ କାର୍ଯ୍ୟ କରୁଛନ୍ତି । ଗୁରୁବାର ମଧ୍ୟରାତ୍ର ପର୍ଯ୍ୟନ୍ତ ରଶ୍ମିରେଖାଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ମାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ରଶ୍ମିରଞ୍ଜନଙ୍କ ମୃତ୍ୟୁ ହୋଇଥିବା ରଶ୍ମିରେଖାଙ୍କ ଭାଇ କିଶାନ ଭୂୟାଁ ଫୋନ୍ କରି ଜଣାଇଥିବା ପରିବାର ଲୋକେ କହିଛନ୍ତି । ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ହେଲେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପରିବାରର ଅଭିଯୋଗ ଅନୁସାରେ, ରଶ୍ମିରେଖା ପୂର୍ବରୁ କରଞ୍ଜିଆରେ ଚାକିରି କରୁଥିଲେ । ସେଠାରେ ସେହି ବିଭାଗରେ କାର୍ଯ୍ୟରତ ଦେବାଶିଷ ସ୍ୱାଇଁ ନାମକ ଜଣେ ପୁରୁଷ ବନ୍ଧୁଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା। ଏହାକୁ ବିରୋଧ କରିବାରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହି ଘଟଣା ନେଇ ଚୁପ୍ ରହିବାକୁ ରଶ୍ମିରଞ୍ଜନଙ୍କୁ ଧମକ ଦିଆଯାଇଥିଲା । ପରିବାର ଏହା ଜାଣିବା ପରେ ପୁରୁଷ ବନ୍ଧୁଙ୍କ ସହ ମିଳାମିଶା ନ କରିବା ପାଇଁ ରଶ୍ମିରେଖାଙ୍କୁ କହିଥିଲେ । ପ୍ରାୟ ୬ ମାସ ପୂର୍ବରୁ ରଶ୍ମିରେଖା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବଦଳି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ସଙ୍ଗରେ ହୋଇଥିଲା । ରଶ୍ମିରଞ୍ଜନଙ୍କୁ ଏ କଥା ମଧ୍ୟ ଜଣାଇ ନ ଥିଲେ ରଶ୍ମିରେଖା । ତେବେ ରଶ୍ମିରେଖାଙ୍କ ଜନ୍ମଦିନ ଥିବାରୁ ରଶ୍ମିରଞ୍ଜନ ବାଲେଶ୍ୱର ଆସିଥିଲେ ।

ଜନ୍ମଦିନ ପାଳନ ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ରଶ୍ମିରଞ୍ଜନଙ୍କ ହତ୍ୟା ପଛରେ ପତ୍ନୀ ରଶ୍ମିରେଖା, ପୁରୁଷ ବନ୍ଧୁ ଦେବାଶିଷ, ଦେବାଶିଷଙ୍କ ପେଟ୍ରୋଲ ପମ୍ପ୍‌ରେ କାର୍ଯ୍ୟରତ ପ୍ରଶାନ୍ତ ନାମକ ଯୁବକ ଓ ଅନ୍ୟ ସହଯୋଗୀଙ୍କୁ ଦାୟୀ କରିଛନ୍ତି । ତାଙ୍କୁ କେଉଁମାନେ ଡାକ୍ତରଖାନା ଆଣିଲେ³ ପରିବାର ଲୋକେ ଆସିବା ବେଳେ ରଶ୍ମି ରେଖାଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ କାହିଁକି ଫେରାର ହୋଇଗଲେ ତାହାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ।

ଅପରପକ୍ଷରେ ଏନେଇ ସହଦେବଖୁଣ୍ଟା ଥାନା ଅଧିକାରୀ ଆଲୋକ କୁମାର ବେହେରା କହିଛନ୍ତି, ମୃତଦେହକୁ ଆମେ ହସ୍ପିଟାଲରୁ ଠାବ କରିଥିଲୁ । ପୁଲିସ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରଶ୍ମିରଞ୍ଜନଙ୍କୁ କେତେକ ଲୋକେ ହସ୍ପିଟାଲ ଆଣିଥିବା ଜଣାପଡ଼ିଛି । ରଶ୍ମିରଞ୍ଜନଙ୍କ କକା ଲକ୍ଷ୍ମୀଧର ସେଠୀଙ୍କ ଲିଖିତ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଘଟଣାରେ ପୁଲିସ୍ ଦୁଇରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୨୦୨୩ରେ ରଶ୍ମିରଞ୍ଜନ ହଂସପାଳ ଅଞ୍ଚଳର ରଶ୍ମି ରେଖାଙ୍କୁ ପ୍ରେମ ବିବାହ କରିଥିଲେ । ଏହି ଘଟଣା ପରେ ରଶ୍ମିରେଖା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି । ସେମାନେ ଫେରାର ଥିବା ସନ୍ଦେହ କରାଯାଉଛି ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ