
ଭୁବନେଶ୍ଵର:ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସକାଳ ୫ଟା ୩୦ ମିନିଟ୍ରେ ଅବପାତରେ ପରିଣତ ହୋଇଛି। ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସହ ୧୭ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି କରାଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଅବପାତଟି ପୋର୍ଟବ୍ଲେୟାରଠାରୁ ପ୍ରାୟ ୭୦୦ କିଲୋମିଟର, ଚେନ୍ନାଇଠାରୁ ୮୬୦ କିଲୋମିଟର, ବିଶାଖାପାଟଣାଠାରୁ ୧୦୪୦ କିଲୋମିଟର ଏବଂ ଗୋପାଳପୁରଠାରୁ ପ୍ରାୟ ୧୧୬୦ କିଲୋମିଟର ଦୂରରେ ରହିଛି। ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟରେ ଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା କୂଳକୁ ଫେରି ଆସିବାକୁ ଚେତାବନୀ ଦିଆଯାଇଛି। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।






